ଭୁବନେଶ୍ୱର: ରାଜ୍ୟରେ ଆହୁରି ୩ଦିନ ହେବ ପ୍ରବଳ ବର୍ଷା। ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦୁଇ ଦିନ ରାଜ୍ୟରେ ଅଧିକ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ବର୍ତ୍ତମାନ ଲଘୁଚାପ କ୍ଷେତ୍ର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ସକ୍ରୀୟ ରହିଛି। ଆସନ୍ତାକାଲି (ସୋମବାର) ଉପକୂଳ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭଗ ପୂର୍ବାନୁମାନ କରିଛି।
ଆଜି ପ୍ରବଳ ବର୍ଷା ପାଇଁ ଦୁଇ ଜିଲ୍ଲା କଳାହାଣ୍ଡି ଏବଂ ନବରଙ୍ଗପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବାକି ୨୮ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ପାଇଁ ଅଧା ଓଡ଼ିଶାକୁ ସର୍ତକ ସୂଚନା ଜାରି କରାଯାଇଛି। ୧୮ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା କରାଯାଇଛି।
୧୬ ଓ ୧୭ ଏବଂ ୧୮ ତାରିଖ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶା ସମେତ ଅନ୍ୟ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଅନ୍ୟପଟେ ୨୦ତାରିଖ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।