ଭୁବନେଶ୍ୱର: ଅକ୍ଟୋବର ମାସ ଆସିବା ମାତ୍ରେ ଓଡ଼ିଶାକୁ ବାତ୍ୟାର ଭୟ ଘାରିଥାଏ। ଯଦିଓ ଅକ୍ଟୋବର ମାସ ହେବାକୁ ଆହୁରି ୧୫ ଦିନ ବାକି ଅଛି, ତଥାପି ଏବେଠୁ ଏହାକୁ ନେଇ ଲୋକଙ୍କ ମନରେ ଡର ଉଙ୍କି ମାରୁଛି। ବର୍ତ୍ତମାନ ରାଜ୍ୟରେ ପାଣିପାଗସ୍ଥିତିକୁ ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ବାତ୍ୟା କିମ୍ବା ଅବପାତ ନାହିଁ। ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ। ଲଘୁଚାପ ଯୋଗୁଁ ଦୁଇ ଦିନ ଧରି ବର୍ଷା ହେଉଥିଲା , ତାହା କମିବାକୁ ଲାଗିବ। ଲଘୁଚାପ ଏବେ ଉତ୍ତର ତେଲେଙ୍ଗାନା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇରହିଛି। ତେଣୁ ବର୍ଷାର ପରିମାଣ ଧୀରେ ଧୀରେ କମିବ। ପାର୍ବଣରେ ବର୍ଷା ହେବ କି ନାହିଁ , ଏବେଠୁ କହିହେବ ନାହିଁ। କିନ୍ତୁ କୌଣସି ବାତ୍ୟା କିମ୍ବା ଅବପାତ ସୃଷ୍ଟି ହେଉନଥିବା ଆଇଏମଡି ଡିଜି କହିଛନ୍ତି।
ତାଙ୍କ କହିବା ଅନୁସାରେ, ଅକ୍ଟୋବରରୁ ଡିସେମ୍ବର ଭିତରେ ବଙ୍ଗୋପସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ। ଏସବୁ ସମୟରେ ପ୍ରତିବର୍ଷ ସାଧାରଣତଃ ବଙ୍ଗୋପସାଗର ଏବଂ ଆରବ ସାଗରରେ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ। ତା ଭିତରେ ୩ଟି ବତ୍ୟା ଅକ୍ଟୋବରରୁ ଡିସେମ୍ବରରେ ସୃଷ୍ଟି ହୋଇଥାଏ। ମାତ୍ର ଏ ବର୍ଷ ଏଯାଏଁ କୌଣସି ବାତ୍ୟା ବଙ୍ଗୋପସାଗର କିମ୍ବା ଆରବସାଗରରେ ସୃଷ୍ଟି ହୋଇନାହିଁ। ହେଲେ ଅକ୍ଟୋବରରୁ ଡିସେମ୍ବର ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।
ସେପଟେ ମୌସୁମୀ ବିଦାୟ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି। ପଶ୍ଚିମ ରାଜସ୍ଥାନରୁ ମୌସୁମୀ ଅପସାରଣ ପାଇଁ ପାଗ ଅନୁକୂଳ ରହିଛି । ଏପଟେ ଓଡ଼ିଶାରେ ଲଘୁଚାପ ପ୍ରଭାବରେ ଆଜି ବି ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।