ନୂଆଦିଲ୍ଲୀ: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଉପସଚିବ ନବଜ୍ୟୋତ ସିଂଙ୍କର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ତାଙ୍କ ପତ୍ନୀ ସନ୍ଦିପ ସିଂ ଗୁରୁତରଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି ।
ନବଜ୍ୟୋତ ସିଂ ଅର୍ଥ ମନ୍ତ୍ରଣାଳୟର ନର୍ଥ ବ୍ଲକରେ କାର୍ଯ୍ୟରତ ଥିବାବେଳେ ହରିନଗରରେ ରହୁଥିଲେ । ଉଭୟ ପତି ପତ୍ନୀ କୌଣସି କାମରେ ଏକ ବାଇକରେ ଜିଟିବି ନଗର ଯାଇଥିଲେ । ଏକ ବିଏମଡବ୍ଲ୍ୟୁ କାର ଉପସଚିବଙ୍କ ବାଇକକୁ ଧକ୍କା ଦେଇଥିଲା । ଉଭୟ ପତିପତ୍ନୀ ଚେତା ଶୂନ୍ୟ ହୋଇପଡ଼ିଥିଲେ । ସେମାନଙ୍କୁ ଜିଟିପି ନଗରର ଏକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ଡାକ୍ତର ଉପସଚିବ ନବଜ୍ୟୋତ ସିଂଙ୍କୁ ମୃତ୍ୟ ଘୋଷଣା କରିଥିଲେ ।
ସାଉଥ୍ ୱେଷ୍ଟ ଡିସିପି ଅମିତ ଗୋଏଲଙ୍କ ସୂଚନା ମୁତାବକ, ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ଜଣେ ମହିଳା ଚାଳକ ବିଏମଡବ୍ଲ୍ୟୁ ଚଲାଉଥିବାବେଳେ ଉପସଚିବଙ୍କ ବାଇକ ଧକ୍କା ଦେଇଥିଲା । କାରଟି ଭାରସାମ୍ୟ ହରାଇ ବାଇକକୁ ପିଟିଥିଲା । ପରେ ବାଇକଟି ଏକ ବସ ସହ ସାଇଡରୁ ଧକ୍କା ହୋଇଥିଲା । ଉଭୟ ପତିପତ୍ନୀ ତଳେ ପଡ଼ିଯାଇଥିଲେ । ସେମାନଙ୍କୁ ଏକ ଟ୍ୟାକ୍ସିରେ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ସହିତ କାର ଚଳାଉଥିବା ମହିଳା ଏବଂ ତାଙ୍କ ସ୍ୱାମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ସେ କାରରେ ତାଙ୍କର ଦୁଇ ପିଲା ମଧ୍ୟ ବସିଥିଲେ । ଏହି ସମୟରେ ୬୭ ନମ୍ବର ମେଟ୍ରୋ ପିଲାର୍ ନିକଟରେ ରାସ୍ତା ଜାମ୍ ଥିବା ନେଇ ପୋଲିସକୁ ୩ଟା ପିସିଆର୍ କଲ୍ ଆସିଥିଲା । ପୋଲିସ ଟିମ୍ ତୁରନ୍ତ ସେଠାରେ ପହଁଚି କାର ଏବଂ ବାଇକକୁ ଜବତ କରିଥିଲା । ପୋଲିସ ଜିଟିପି ନଗରର ଏକ ହସ୍ପିଟାଲରୁ ମଧ୍ୟ ଦୁର୍ଘଟଣା ମାମଲା ନେଇ ଖବର ପାଇ ସେଠାରେ ପହଁଚି ଥିଲା ।
ଅଧିକ ପଢ଼ନ୍ତୁ:- ସଡ଼କ ଦୁର୍ଘଟଣା: ଛତିଶଗଡ଼ର ଶ୍ରଦ୍ଧାଳୁଙ୍କ ବସ୍କୁ ଉତ୍ତରପ୍ରଦେଶରେ ଧକ୍କା ଦେଲା ଟ୍ରକ୍
କାର ଚାଳକ ଗୁରୁଗ୍ରାମ ବାସିନ୍ଦା ଅଟନ୍ତି । ଦୁର୍ଘଟଣାର ସ୍ଥିତିକୁ ଦେଖିଲେ କାରଟି ଦ୍ରୁତ ଗତିରେ ଯାଉଥିବା ପୋଲିସ ଅନୁମାନ କରିଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।