ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ୱାକଫ୍ ସଂଶୋଧନ ଆଇନ ମାମଲାରେ କେନ୍ଦ୍ର ସରକାରଙ୍କୁ ଆଶ୍ୱସ୍ତି ମିଳିଛି । ୱାକଫ୍ ଆଇନ ଉପରେ ସମ୍ପୂର୍ଣ୍ଣ ରହିତାଦେଶ ପାଇଁ ଦାଖଲ ହୋଇଥିବା ଯାଚିକାକୁ ସୋମବାର ଖାରଜ କରିଛନ୍ତି ମାନ୍ୟବର ସର୍ବୋଚ୍ଚ ଅଦାଲତ । କିନ୍ତୁ ଆଇନରେ ୩ ବଡ଼ ପରିବର୍ତ୍ତନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୁପ୍ରିମକୋର୍ଟ ମୁଖ୍ୟ ନ୍ୟାୟାଧୀଶ ବିଚାରପତି ବିଆର୍ ଗବାଇ ଏବଂ ବିଚାରପତି ଏଜି ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣିରେ ସ୍ପଷ୍ଟତାର ସହିତ କହିଛନ୍ତି ଯେ ୱାକଫ୍ ଆଇନ ଉପରେ ସମ୍ପୂର୍ଣ୍ଣ ରହିତାଦେଶ କୌଣସି ଆଧାର ନାହିଁ । କିନ୍ତୁ କିଛି ନିୟମର ସଂଶୋଧନ ପାଇଁ କୋର୍ଟ ପରାମର୍ଶ ଦେଇଛନ୍ତି । ଯାହା ଉପରେ ଅନ୍ତରୀଣ ସୁରକ୍ଷା ଦିଆଯାଇ ପାରିବ । କୋର୍ଟ ୫ ବର୍ଷ ଇସଲାମ ଧର୍ମ ପାଳନ ସର୍ତ୍ତକୁ ଖାରଜ କରିଛନ୍ତି । ଯାହା ଉପରେ ଅଧିକ ଆପତ୍ତି ହୋଇଛି ଧାରା ୩ (ଆର୍), ୩ (ସି), ୩ (ଡି) ଏବଂ ୮ ସହିତ କିଛି ଧାରା ଉପରେ ରହିତାଦେଶ ଜାରି କରିଛନ୍ତି । ୱାକଫ ବୋର୍ଡର ସଦସ୍ୟ ହେବା ପାଇଁ ଅତିକମରେ ଇସଲାମ ଧର୍ମ ପାଳନ କରିବା ସର୍ତ୍ତ ଉପରେ ରୋକ୍ ଲଗାଇଛନ୍ତି । ଯେପର୍ଯ୍ୟନ୍ତ କେନ୍ଦ୍ର ସରକାର ଏହା ଉପରେ ସ୍ପଷ୍ଟ ନିୟମ ନ ଆଣିଛନ୍ତି ସେପର୍ଯ୍ୟନ୍ତ ଏହି ସର୍ତ୍ତ ଲାଗୁ କରାଯାଇପାରିବ ନାହିଁ ।
ସେହିପରି ଧାରା ୩ (୭୪) ସହିତ ଜଡ଼ିତ ଥିବା ରାଜସ୍ୱ ରେକର୍ଡ ପ୍ରାବଧାନ ଉପରେ ମଧ୍ୟ ରହିତାଦେଶ ଜାରି କରିଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ କାର୍ଯ୍ୟପାଳିକା ଯଥା ଜିଲ୍ଲାପାଳ କୌଣସି ବ୍ୟକ୍ତିର ଅଧିକାର ସ୍ଥିର କରିପାରିବେ ନାହିଁ । ଯେ ପର୍ଯ୍ୟନ୍ତ ନିଯୁକ୍ତ ଅଧିକାରୀଙ୍କ ତଦନ୍ତ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ଏବଂ ଯେପର୍ଯ୍ୟନ୍ତ ୱାକଫ ସମ୍ପତ୍ତିର ମାଲିକାନା ୱାକଫ ଟ୍ରିବ୍ୟୁନାଲ ଏବଂ ହାଇକୋର୍ଟ ଦ୍ୱାରା ନିଷ୍ପତ୍ତି ହୋଇନାହିଁ, ସେପର୍ଯ୍ୟନ୍ତ ୱାକଫକୁ ଏହାର ସମ୍ପତ୍ତିରୁ ଉଚ୍ଛେଦ କରାଯାଇପାରିବ ନାହିଁ । ତଥାପି, ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ରାଜସ୍ୱ ରେକର୍ଡ ସହିତ ଜଡିତ ମାମଲାର ଚୂଡ଼ାନ୍ତ ସମାଧାନ ନହେବା ପର୍ଯ୍ୟନ୍ତ କୌଣସି ତୃତୀୟ ପକ୍ଷ ଅଧିକାର ସୃଷ୍ଟି ହେବ ନାହିଁ ।
ମାନ୍ୟବର ଅଦାଲତ ଆହୁରି ଏକ ବଡ଼ ରାୟ ଦେଇଛନ୍ତି ଯେ ୱାକଫ୍ ବୋର୍ଡରେ ମୁସଲିମ ସଦସ୍ୟଙ୍କ ବହୁମତ ରହିବା ଆବଶ୍ୟକ । ବୋର୍ଡରେ ଅତିବେଶୀରେ ତିନି ଜଣ ଅଣମୁସଲିମ ସମ୍ପ୍ରଦାୟର ସଦସ୍ୟ ରହିବେ । ବୋର୍ଡରେ ୧୧ ଜଣ ସଦସ୍ୟ ଅଛନ୍ତି । ଯଥା ସମ୍ଭବ ବୋର୍ଡ ମୁଖ୍ୟ କାର୍ୟ୍ୟକାରୀ ଅଧିକାରୀ ବା ସିଇଓ ମୁସଲିମ ହିଁ ହେବା ଉଚିତ ।