ଜଗତସିଂହପୁର: ଜାଲ ସାର୍ଟିଫିକେଟ ଦେଇ ଚାକିରି କରିବା ଜଣେ ଅଧ୍ୟାପକଙ୍କୁ ମହଙ୍ଗା ପଡ଼ିଛି। ଜାଲିଆତି ଧରାପଡ଼ିବା ପରେ ସମ୍ପୃକ୍ତ ଅଧ୍ୟାପକଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଘଟଣାଟି ଘଟିଛି ଜଗତସିଂହପୁର ଜିଲା ବାଲିକୁଦା କଲେଜରେ। ଏହି ଘଟଣାରେ ଅଧ୍ୟାପକ ସନ୍ତୋଷ ଶତପଥୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ସୂଚନା ଅନୁସାରେ, ସନ୍ତୋଷ ଚାକିରି ସମୟରେ ଜାଲ ଏମ.କମ୍ ସାର୍ଟିଫିକେଟ ପ୍ରଦାନ କରିଥିଲେ। ସେ ୨୦୧୮ରୁ ଅଧ୍ୟାପକ ଭାବେ ଚାକିରି ଆରମ୍ଭ କରିଥିଲେ। ୭ବର୍ଷ ଧରି କମର୍ସ ଅଧ୍ୟାପକ ଭାବେ ସେ ସେଠାରେ କାର୍ଯ୍ୟ କରୁଥିଲେ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଅଭିଯୋଗ ପରେ ଆରଡିସିଙ୍କ ନିର୍ଦ୍ଦେଶ କ୍ରମେ ୨୦୨୨ ମସିହାରେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍ ତଦନ୍ତ କରିଥିଲେ ।
ତଦନ୍ତରେ ସିକିମ ରାଜ୍ୟର ଏକ ଫେକ୍ ବିଶ୍ବବିଦ୍ୟାଳୟରୁ ଏମକମ୍ ପାସ କରିଥିବା ନକଲି ସାର୍ଟିଫିକେଟ ଦେଇଥିବା ଜଣା ପଡିଥିଲା । ଏ ନେଇ ଟିମ୍ ପକ୍ଷରୁ ରିପୋର୍ଟ ଦିଆଯିବା ପରେ ଅଧ୍ୟାପକଙ୍କୁ ବିଦା କରାଯାଇଛି। ଏ ସମ୍ପର୍କରେ ଉପଜିଲାପାଳଙ୍କ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି। ଅଧ୍ୟାପକ ନେଇଥିବା ସମସ୍ତ ଦରମା ଫେରସ୍ତ କରିବାକୁ ନିର୍ଦେଶ ଦିଆଯାଇଛି।