ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଇଡ଼କୋ ପ୍ରଦର୍ଶନୀ ପଡ଼ିଆଠାରେ ରାଜ୍ୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ମୋଟ ୭ଟି ବିଭାଗର ୧୬୮୬ ଜଣଙ୍କୁ ନିଯୁକ୍ତି ପତ୍ର ମିଳିଛି । କୃଷି, ଅର୍ଥ, ଜଳ ସମ୍ପଦ, ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ, ଆଇନ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗରେ ନିଯୁକ୍ତ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିର୍ବାଚନ ବେଳେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହାକୁ କାର୍ୟ୍ୟକାରୀ କରାଯାଉଛି । ସରକାର ଆସିବାର ଦୁଇ ବର୍ଷ ମଧ୍ୟରେ ୬୫ ହଜାର ପଦବୀ ପୂରଣ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଖୁବଶୀଘ୍ର ପୂରଣ ହେବାକୁ ଯାଉଛି । ନିଯୁକ୍ତି ୩୦ ହଜାର ହୋଇଥିବାବେଳେ ଚଳିତ ବର୍ଷ ଶେଷକୁ ୪୦ ହଜାର ଛୁଇଁବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ପୁଣି ଥରେ ଦୁର୍ନୀତିକୁ ନେଇ ଚେତାଇ ଦେଇଛନ୍ତି । ସରକାରୀ ଚାକିରୀ କେବଳ ଜୀବନର ଏକମାତ୍ର ସାଧନ ନୁହେଁ । ଏହା କେବଳ ସୁରକ୍ଷିତ ଜୀବନ ପ୍ରଦାନ କରିଥାଏ ତା ନୁହେଁ ବରଂ ଏହା ଜନ ସେବାରେ ଏକ ପ୍ରକୃଷ୍ଟ ମାଧ୍ୟମ ଅଟେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆମର କାମ ହେଲା ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ନୀତି ପ୍ରଣୟନ କରିବା କିନ୍ତୁ ତାହାକୁ ତୃଣମୂଳ ସ୍ତରରେ କାର୍ୟ୍ୟକାରୀ କରିବା ସରକାରୀ ଅଧିକାରୀଙ୍କ କାନ୍ଧରେ ଦାୟିତ୍ୱ ନ୍ୟସ୍ତ ଥାଏ । ସରକାରୀ ଚାକିରିଆ ହିସାବରେ ଗର୍ବ ଏବଂ ଅହଂକାର ନ କରି ସାଧାରଣ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାକୁ ନିରନ୍ତର ଭାବରେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।