ଭୁବନେଶ୍ଵର: ଜମିରେ ଚାଷ ନ କରି ଧାନ ସଂଗ୍ରହ ପାଇଁ ପଞ୍ଜିକରଣ କରିଥିବା ଚାଷୀମାନେ ସାବଧାନ । ମିଛ ତଥ୍ୟ ଦେଇଥିବା ଚାଷୀଙ୍କୁ ହେବ କାରଣ ଦର୍ଶାଅ ନୋଟିସ । ୭ ଦିନ ଭିତରେ ଉତ୍ତର ନରଖିଲେ ବର୍ଷେ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାରୁ ବାଦ୍ ପଡ଼ିବେ । ୨୦୨୪-୨୫ ରବି ଋତୁରେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିଲେ ଚାଷ କରି ନ ଥିବା ଅନେକ ଚାଷୀ । ଏବେ ସାଟେଲାଇଟ୍ ସର୍ଭେ ସବୁ ଫନ୍ଦି ଫିକର ଧରାଇ ପକାଇ ଦେଇଛି ।
ସାଟେଲାଇଟ୍ ସର୍ଭେରୁ ଜଣାପଡ଼ିଥିଲା ଯେ, ୧ ଲକ୍ଷ ୮୦ହଜାରରୁ ଅଧିକ ପ୍ଲଟରେ ଧାନ ଚାଷ ହୋଇନଥିଲା । ସେଥି ମଧ୍ୟରୁ ଯେଉଁ ଚାଷୀମାନେ ଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିଲେ ସେମାନଙ୍କୁ ଏବେ କାରଣ ଦର୍ଶାଅ ନୋଟିସର ଜବାବ୍ ଦେବାକୁ ପଡ଼ିବ । ବର୍ତ୍ତମାନ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜିକରଣ ଚାଲିଛି। ନକଲି ଚାଷୀଙ୍କୁ ତାଲିକାରୁ ହଟାଇବାକୁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ସରକାର। ଅନେକ ଚାଷୀ କେବଳ କାଗଜପତ୍ରରେ ଚାଷ କରି ଧାନ ବିକ୍ରି କରିବା ସହ ବିଭିନ୍ନ ଯୋଜନାରେ ସରକାରୀ ସହାୟତା ହାତେଇ ନେଉଛନ୍ତି । ଏଭଳି ଚାଷୀ ତାଲିକାରୁ ବାଦ୍ ପଡ଼ିଲେ ଯାଇଁ ପ୍ରକୃତ ଚାଷୀ ସରକାରୀ ସୁବିଧାର ଫାଇଦା ପାଇପାରିବେ ।
ଯୋଗାଣ ମନ୍ତ୍ରୀ କହିଛନ୍ତି ଦଲାଲ ମାନଙ୍କୁ ରୋକିବାକୁ ସରକାର୍ ଇ କେୱାଇସି ବ୍ୟବସ୍ଥା କରିଛନ୍ତି। କାହାକୁ ହଇରାଣ କରିବା ଉଦ୍ଦେଶ୍ୟ ନାହିଁ, ଯେଉଁଠି ଅଭିଯୋଗ ଆସିବ ଯେ ଫର୍ମ ଗ୍ରହଣ ହେଉନି ସେଠାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭାଗ ଚାଷୀ ମଧ୍ୟ ମାଲିକଠାରୁ ଲେଖା ଆଣିବେ। ତାହେଲେ ତାଙ୍କର ମଧ୍ୟ ପଞ୍ଜିକରଣ ହୋଇପାରିବ । ପ୍ରକୃତ ଚାଷୀଙ୍କୁ ଚିହ୍ନିବା ଏବଂ ଦଲାଲଙ୍କୁ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।