ଭୁବନେଶ୍ୱର : ପପୁଲାର ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ବହୁ ବିବାଦ ଘେରରେ ଅଛନ୍ତି । ସମୟ ରାଇନାଙ୍କ ସୋ ‘india's got latent’କୁ ଯାଇ ଅସଭ୍ୟ ଶବ୍ଦ ପ୍ରୟୋଗ ତାଙ୍କ ଉପରେ ଭାରି ପଡିଗଲା । ଏମିତି କି ଏହି ବାକ୍ୟକୁ ନେଇ ବହୁ ରାଜ୍ୟରେ ତାଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏନେଇ ୟୁଟ୍ୟୁବର ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହାକୁ ନେଇ ମଙ୍ଗଳବାର ଶୁଣାଣି ମଧ୍ୟ ହୋଇଛି । ସୁପ୍ରିମକୋର୍ଟ ରଣବୀରଙ୍କୁ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିଛନ୍ତି ସତ କିନ୍ତୁ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି ।
କୋର୍ଟ ରଣବୀରଙ୍କୁ ଦେଇଥିବା ଗୁରୁତ୍ୱପୂର୍ଣ୍ଣ ଆଦେଶ
-ରଣବୀରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଏକ ନୋଟିସ ଜାରି କରିଛନ୍ତି। ଯେତେବେଳେ ବି ରଣବୀରଙ୍କୁ ପଚରାଉଚରା ପାଇଁ ଡକାଯିବ, ତାଙ୍କୁ ତଦନ୍ତରେ ଯୋଗ ଦେବାକୁ ପଡିବ।
-ଏବେଠୁ, ସମାନ ଅଭିଯୋଗରେ ରଣବୀରଙ୍କ ବିରୋଧରେ କୌଣସି ନୂତନ ମାମଲା ରୁଜୁ ହେବ ନାହିଁ। ଜୟପୁରରେ ପଞ୍ଜିକୃତ FIR ରେ ରଣବୀରଙ୍କୁ ଗିରଫଦାରୀରୁ ମଧ୍ୟ ଆଶ୍ୱସ୍ତି ମିଳିଛି।
-ରଣବୀରଙ୍କୁ ତାଙ୍କ ପାସର୍ପୋଟ ପୋଲିସ ଷ୍ଟେସନରେ ଜମା କରିବାକୁ ପଡିବ । କୋର୍ଟର ନିର୍ଦ୍ଦେଷ ବିନା ସେ ଦେଶ ଛାଡି ଯାଇ ପାରିବେନି ।
-ରଣବୀର ଆଉ ତାଙ୍କ ସାଥୀ ମାନେ କୋର୍ଟର ଆଦେଶ ନ ଆସିବା ପର୍ଯ୍ୟନ୍ତ ‘india's got latent’ ସୋ କରିପାରିବେନି ।
-ଅଦାଲତ ଆପତ୍ତିଜନକ ଭାଷା ପ୍ରୟୋଗକୁ ନେଇ ୟୁଟ୍ୟୁବରଙ୍କୁ କଡା ଶବ୍ଦରେ ଭର୍ତ୍ସନା କରିଛନ୍ତି । କୋର୍ଟ କହିଛନ୍ତି, ତାଙ୍କ ମସ୍ତିଷ୍କରେ ଅଶ୍ଳୀଳତା ଭରି ରହିଛି। ସେମାନେ ପିତାମାତାଙ୍କୁ ଅପମାନିତ କରୁଛନ୍ତି।
-ଜଷ୍ଟିସ ସୂର୍ଯ୍ୟକାନ୍ତ କହିଥିଲେ, ଆପଣ କଳା ନାମରେ ଲାଇସେନ୍ସ ପାଇଛନ୍ତି କି? ତାଙ୍କ ଭାଷା ଅପମାନଜନକ ଏବଂ ଆପତ୍ତିଜନକ ଥିଲା।
-ଆଇନଜୀବୀ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସମାନ ମନ୍ତବ୍ୟ ପାଇଁ ଭିନ୍ନ ଭିନ୍ନ FIR ଦାଖଲ କରିବା ଆଇନଗତ ପ୍ରକ୍ରିୟାର ଅପବ୍ୟବହାର ।
-ରଣବୀରଙ୍କୁ ଯେଉଁ ଧମକ ମିଳୁଛି ସେ ବିଷୟରେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ‘ସେଥିପାଇଁ ଆଇନ ତାର କାମ କରିବ ଏବଂ ରାଜ୍ୟ ସରକାର ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବେ। ’
-ଜଷ୍ଟିସ ସୂର୍ଯ୍ୟକାନ୍ତ ଆହୁରି କହିଥିଲେ ଯେ ଆପଣ ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି ତାହା ପିତାମାତାଙ୍କୁ ଲଜ୍ଜିତ କରିବ, ଭଉଣୀମାନେ ଲଜ୍ଜିତ ହେବେ। ସମଗ୍ର ସମାଜ ଲଜ୍ଜିତ ହେବ। ଏହା ଏକ ବିକୃତ ମାନସିକତା।
-ରଣବୀରଙ୍କ ଓକିଲ କହିଥିଲେ ଯେ ତାଙ୍କ ମାଆ ଜଣେ ଡାକ୍ତର। ଲୋକମାନେ ତାଙ୍କ କ୍ଲିନିକ୍ ପହଞ୍ଚି ତାଙ୍କୁ ଦୁର୍ବ୍ୟବହାର କରୁଛନ୍ତି। କୋର୍ଟ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି।
ରଣବୀର ସମୟ ରାଇନାଙ୍କ ସୋ ‘india's got latent’ରେ ଅତିଥି ବିଚାରକ ଭାବରେ ଉପସ୍ଥିତ ହୋଇଥିଲେ। ସେ ଜଣେ ପ୍ରତିଯୋଗୀଙ୍କୁ ପିତାମାତାଙ୍କ ଘନିଷ୍ଠତା ସହିତ ଜଡିତ ଏକ ପ୍ରଶ୍ନ ପଚାରିଥିଲେ। ରଣବୀରଙ୍କ ଅଶ୍ଳୀଳ ମନ୍ତବ୍ୟର କ୍ଲିପ୍ ଭାଇରାଲ ହେବା ମାତ୍ରେ ତାଙ୍କୁ ଟ୍ରୋଲ୍ କରାଯିବା ଆରମ୍ଭ ହୋଇଗଲା। ଏହି ମାମଲାରେ ସେ ଦୁଇଥର କ୍ଷମା ମାଗିଛନ୍ତି। କିନ୍ତୁ ଲୋକଙ୍କ କ୍ରୋଧ ଏପର୍ଯ୍ୟନ୍ତ କମିନାହିଁ।
ଅଧିକ ପଢନ୍ତୁ : ବିବାଦ ଘେରରେ କମେଡି ଶୋ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ; ବିବାଦ ପରେ ନିଜ ଚ୍ୟାନେଲରୁ ଭିଡ଼ିଓ ହଟାଇଲେ ସମୟ ରୈନା, କହିଲେ ‘ଯାହା ବି ହେଉଛି ମୋ ନିୟନ୍ତ୍ରଣ ବାହାରେ’