ବରଗଡ଼ : ଆଜିଠାରୁ ଆରମ୍ଭ ହେବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା । ବିଗତ ବର୍ଷ ଭଳି ଏଥର ବରଗଡ଼ ଲୋକ ସଭା ଏମ୍ପି ପ୍ରଦୀପ କୁମାର ପୁରୋହିତ ଏବଂ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସନ୍ଧ୍ୟା ୭ଟାରେ ହାଟପଦାସ୍ଥିତ ରାଜ ଦରବାରରେ ଧନୁଯାତ୍ରା ମହୋତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରଗଡ଼ ଧନୁଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଧନୁଯାତ୍ରାର ସଫଳ ଆୟୋଜନ ପାଇଁ ରାଷ୍ଟ୍ରପତି କାମନା କରିଛନ୍ତି।
ସୂଚନାଯୋଗ୍ୟ ଆଜିଠାରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏହି ୧୧ ଦିନ ଅବଧି ମଧ୍ୟରେ ବରଗଡ଼ରେ କଂସ ମହାରାଜାଙ୍କ ଶାସନ ଚାଲିବ। ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ପାଲଟିବ। ଉଭୟ ସ୍ଥାନ ମଧ୍ୟରେ ପ୍ରବାହିତ ଜୀରାନଦୀ ଯମୁନା ହେବ। ତେବେ ବିଗତ ବର୍ଷ ଭଳି ଏଥର ମଧ୍ୟ ମହୋତ୍ସବର ପ୍ରଥମ ୭ଦିନ ହାଟପଦାରେ ର୍ନିମିତ ମଞ୍ଚ ଏବଂ ଶେଷ ୪ଦିନ ଲୋକମଣ୍ଡପ ପଡ଼ିଆରେ ର୍ନିମିତ ମଞ୍ଚ ରାଜ ଦରବାର ପାଲଟିବ। ଅନ୍ୟପଟେ ପ୍ରଥମ ୭ଦିନ ଲୋକମଣ୍ଡପ ପଡ଼ିଆ ଏବଂ ଶେଷ ୪ଦିନ ହାଟପଦାରେ ର୍ନିମିତ ମଞ୍ଚରେ ରଙ୍ଗ ମହଲ ଦୃଶ୍ୟାଭିନୟ ଅଭିନୀତ ହେବ।
ଧନୁଯାତ୍ରା ମହୋତ୍ସବକୁ ଅନ୍ୟବର୍ଷ ଅପେକ୍ଷା ଏଥର ଅଧିକ ଆକର୍ଷଣୀୟ କରିବାର ପ୍ରୟାସ କରାଯାଇଛି। ସ୍ଥାନୀୟ ହାଟପଦାରେ ରାଜ ଦରବାର ଏବଂ ନିଶାମଣି ସ୍କୁଲ ସମ୍ମୁଖ ଲୋକମଣ୍ଡପ ପଡ଼ିଆରେ ସୁଦୃଶ୍ୟ ରଙ୍ଗ ମହଲ ର୍ନିମିତ ହୋଇଛି। ସହରର ପ୍ରମୁଖ ପ୍ରବେଶ ଦ୍ୱାରଗୁଡ଼ିକ ନିକଟରେ ଆକର୍ଷଣୀୟ ସ୍ବାଗତ ତୋରଣ ର୍ନିମାଣ କରାଯାଇଛି।