ପୁରୀ: ଶ୍ରୀମନ୍ଦିର ବାହାରେ ମହାପ୍ରସାଦ ନାମରେ ଖଜା ବିକ୍ରି ହେଉଥିବା ନେଇ ପ୍ରମାଣ ମିଳିଛି। ଫଳରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ପ୍ରକାଶ କରିଛନ୍ତି।
ବଡ଼ଦାଣ୍ଡରେ କିଛି ଅସାଧୁ ବ୍ୟବସାୟୀ ମହାପ୍ରସାଦ ନାମରେ ଖଜା ବିକ୍ରି କରୁଛନ୍ତି। ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ସମସ୍ତ ଖଜା ବ୍ୟବସାୟୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ଭିତରେ ସୂପକାରଙ୍କ ଦ୍ବାରା ଖଜା ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କ ନିକଟରେ ଭୋଗ କରିବା ପରେ ଆନନ୍ଦ ବଜାରରେ ବିକ୍ରି କରାଯାଇଥାଏ। ଏହାକୁ ଖଜା ଭୋଗ କୁହାଯାଏ ବୋଲି ସେ ସୂଚନା ଦେଇଛନ୍ତି।
ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଆଖପାଖ ଅଞ୍ଚଳ ସମେତ ବସ୍ ଷ୍ଟାଣ୍ଡ ଏବଂ ସମୁଦ୍ରକୂଳ ପର୍ଯ୍ୟନ୍ତ ଛତୁ ଫୁଟିଲା ଭଳି ଖଜା ଦୋକାନ ରହିଛି। ଖଜା ଦୋକାନୀମାନେ ପୁରୀ ଆସୁଥିବା ଯାତ୍ରୀଙ୍କୁ ମହାପ୍ରସାଦ ଭୋଗ କହି ଖଜା ବିକ୍ରି କରିଥାନ୍ତି। ଶ୍ରଦ୍ଧାଳୁ ଏହାର ମାନ ନ ଜାଣି ଆଗ୍ରହରେ କିଣିଥାନ୍ତି।
ଶ୍ରୀମନ୍ଦିର ଭୋଗ କହି ଶ୍ରଦ୍ଧାଳୁଙ୍କୁ ଏଭଳି ଠକେଇ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଗତ ମାସରେ ଅଭିଯୋଗ ଆସିଥିଲା। କିଛି ସ୍ଥାନରେ ଏହି ଖଜାର ପ୍ରସ୍ତୁତି ସମୟରେ ଅପମିଶ୍ରିତ ତେଲ ବ୍ୟବହାର ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଅପମିଶ୍ରିତ ତଥା ନିମ୍ନମାନର ଖଜାକୁ ନେଇ ଜିଲା ଜନସ୍ବାସ୍ଥ୍ୟ ବିଭାଗର ଚେତା ପଶିଥିଲା। ଗତ ୨ଦିନ ମଧ୍ୟରେ ଏକାଧିକ ଦୋକାନରେ ଚଢ଼ଉ କରି ପ୍ରାୟ ୧୦୦ କି.ଗ୍ରା.ର ଖଜା ଏବଂ ପ୍ରସ୍ତୁତ ସାମଗ୍ରୀକୁ ନଷ୍ଟ କରାଯାଇଛି। ସେମାନଙ୍କଠାରୁ ପ୍ରାୟ ୨୦ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।