ରାତି ପାହିଲେ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳଚଞ୍ଚଳ ହୋଇଉଠିଛି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ । ସୂଚନା ଅନୁସାରେ , ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାରିପଦାର ସର୍ବଭାରତୀୟ ସାନ୍ତାଳୀ ଲେଖକ ସମାବେଶରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ଅର୍ଜୁନ ମୁଣ୍ଡା, ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଆଦି ଯୋଗ ଦେବେ ।
ଏଥିପାଇଁ ମୟୂରଭଞ୍ଜ ଜିଲ୍ଲାରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ଅପରାହ୍ନରେ କୁଳିଅଣା ଯାଇ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶୁଭ ଉଦ୍ଘାଟନ କରିବେ ରାଷ୍ଟ୍ରପତି । ପରେ ରାଇରଙ୍ଗପୁର ଯାଇଁ ନିଜ ବାସଭବନରେ ରାତ୍ରିଯାପନ କରିବେ । ଆସନ୍ତା ୨୧ ତାରିଖରେ ବାଦାମପାହାଡ଼ ଷ୍ଟେସନ୍ରେ ୩ଟି ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବେ । ଓ ପରେ ବାଦାମପାହାଡ଼ ଓ ରାଇରଙ୍ଗପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ରାଜ୍ୟପାଳ ରଘୁବର ଦାସ ମଧ୍ୟ ରାଇରଙ୍ଗପୁର ଗସ୍ତରେ ଆସୁଛନ୍ତି । କେବଳ ରାଷ୍ଟ୍ରପତି ଭବନରୁ ଅନୁମତି ପାଇଥିବା ବ୍ୟକ୍ତିବିଶେଷ ଓ ସଂଗଠନର କର୍ମକର୍ତ୍ତାମାନେ ରାଷ୍ଟ୍ରପତିଙ୍କୁ ରାଇରଙ୍ଗପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ସାକ୍ଷାତ କରିବେ । ରାଷ୍ଟ୍ରପତିଙ୍କ ଶ୍ବଶୁର ଘର ପାହାଡପୁର ଗ୍ରାମସ୍ଥିତ ଏସ୍ଏଲ୍ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ମଧ୍ୟ ଏକ ନୂତନ ରୂପ ଦିଆଯାଇଛି । ପାହାଡପୁରରେ ଏଲ୍ଏଣ୍ଡଟି ପକ୍ଷରୁ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ମାଣ ହୋଇଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଆସନ୍ତା ୨୧ ତାରିଖ ଦିନ ଉଦ୍ଘାଟନ କରିବେ । ପରେ ସେ ନିଜେ ପ୍ରତିଷ୍ଠା କରିଥିବା ଏସ୍ଏଲ୍ଏସ୍ ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯିବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ସ୍କୁଲ୍ ଛାତ୍ରଛାତ୍ରୀ ଓ ସାଧାରଣ ଜନତାଙ୍କ ସହିତ ମିଶିବେ ।
ନୂତନ ଟ୍ରେନ୍ ଉଦ୍ଘାଟନ ସମୟରେ ରାଷ୍ଟ୍ରପତିଙ୍କ ସହିତ ରେଳମନ୍ତ୍ରୀ ଅଶ୍ବିନୀ କୁମାର ବୈଷ୍ଣବ ଓ କେନ୍ଦ୍ର ସରକାରଙ୍କ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗଦେବେ । ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସ୍ବତନ୍ତ୍ର ବାୟୁସେନା ହେଲିକେପ୍ଟର ଯୋଗେ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନଘାଟିରୁ ଆସି ବାରିପଦା ପୁଲିସ ପଡ଼ିଆ ହେଲିପ୍ୟାଡ୍ରେ ଅବତରଣ କରିବେ । ଏଥିପାଇଁ ୩ଟି ଅସ୍ଥାୟୀ ହେଲିପ୍ୟାଡ୍ ନିର୍ମାଣ କରାଯାଇଛି । ଗତକାଲି ବାୟୁସେନାର ୨ଟି ହେଲିକେପ୍ଟର ବାରିପଦା ଆସି ପୁଲିସ ପଡ଼ିଆରେ ପରୀକ୍ଷାମୂଳକ ଉଡ଼ାଣ ଓ ଅବତରଣ କରିଛି । ଯେମିତି ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ସାମାନ୍ୟତମ ବି ବିଭ୍ରାଟ କି ତ୍ରୁଟି ନ ହୁଏ । ସେଥିପାଇଁ ମୟୂରଭଞ୍ଜ ଜିଲ୍ଲାପାଳ ସମସ୍ତ ଆୟୋଜନର ତଦାରଖ କରୁଛନ୍ତି । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପୋଲିସ ଟିକିନିକି ଯାଞ୍ଚ କରୁଛି ।
ଆଗକୁ ପଢନ୍ତୁ :- ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ପରିଚିତ