ଭୁବନେଶ୍ବର: ଗ୍ରୀଷ୍ମ ଋତୁ ଆସିବା ପୂର୍ବରୁ ଓଡ଼ିଶାର ସବୁଜ ବନାନୀକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନ ବିଭାଗ ପକ୍ଷରୁ ଅଣ୍ଟା ଭିଡ଼ାଯାଇଛି। ଏଥର ଜଙ୍ଗଲ ନିଆଁକୁ ରୋକିବା ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସ୍ଥାନୀୟ ସଜାଗତା ଉପରେ ଗୁରୁତ୍ୱ ଦେଇଛନ୍ତି ପିସିସିଏଫ୍ (PCCF) ।
ଜଙ୍ଗଲ ମଧ୍ୟରେ କେଉଁଠି ନିଆଁ ଲାଗିଛି, ତାହା ଖୁବ୍ ଶୀଘ୍ର ଜାଣିବା ପାଇଁ ଏଥର ମିନି ଡ୍ରୋନ୍ ବ୍ୟବହାର କରାଯାଉଛି। ବିଶେଷ କରି ଶିମିଳିପାଳ ଭଳି ଅଭୟାରଣ୍ୟ ଓ ରାଉରକେଲାର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ହାଇ-ରିଜୋଲ୍ୟୁସନ୍ କ୍ୟାମେରା ଜରିଆରେ ନଜର ରଖାଯାଉଛି।
ନିଆଁ ଯେପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନବ୍ୟାପିବ, ସେଥିପାଇଁ ରାଜ୍ୟରେ ପ୍ରାୟ ୨୦,୪୬୧ଟି ଫାୟାର ଲାଇନ ସୃଷ୍ଟି କରାଯାଇଛି। ଏହା ଜଙ୍ଗଲ ମଧ୍ୟରେ ଏକ ପ୍ରତିବନ୍ଧକ ଭାବେ କାମ କରିବ। ଜଙ୍ଗଲ ହେଉଛି ଆମ ସମ୍ପତ୍ତି। ଏଣୁ କୌଣସି ସ୍ଥାନରେ ନିଆଁ ଲାଗିଥିବାର ଦେଖିଲେ ତୁରନ୍ତ ସହାୟତା ପାଇଁ ବନ ବିଭାଗ ଏକ ଟୋଲ୍ ଫ୍ରି ନମ୍ବର ଜାରି କରିଛି। ଉକ୍ତ ନମ୍ବରଟି ହେଉଛି 18003457158।
କେତେକ ଅସାମାଜିକ ବ୍ୟକ୍ତି ବା ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଉଥିବା ଲୋକଙ୍କୁ ପିସିସିଏଫ୍ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ଯଦି କେହି ଜାଣିଶୁଣି ନିଆଁ ଲଗାନ୍ତି, ତେବେ ସେମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।