ପୁରୀ : ଆଉ ମାତ୍ର କିଛି ଦିନ ପରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା। ଆସନ୍ତା ୩୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ଚନ୍ଦନ ଯାତ୍ରା । ଏହିଦିନ ଠାରୁ ଦୀର୍ଘ ୨୧ ଦିନବ୍ୟାପୀ ମହାପ୍ରଭୁଙ୍କ ଜଳକ୍ରୀଡା ଆରମ୍ଭ ହେବ । ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ନୌକା ବିହାର କରିବେ । ମହାପ୍ରଭୁଙ୍କ ସହ ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁ ପାଣ୍ଡବ ମଧ୍ୟ ନୌକା ବିହାର କରିବେ ।
ତେବେ ପରମ୍ପରା ମୁତାବକ ଚୈତ୍ର ପୂର୍ଣ୍ଣିମା ଅବସରରେ ଏଥିପାଇଁ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ଵାବଧାନରେ ଭୋଇ ସେବାୟତ ମାନେ ନରେନ୍ଦ୍ର ସରୋବରରୁ ଡଙ୍ଗା କାଢିଛନ୍ତି । ନନ୍ଦା ଓ ଭଦ୍ରା ଚାପରେ ବ୍ୟବହୃତ ଚାରୋଟି ଡଙ୍ଗା ସହ ବୈଜୟନ୍ତରୀ ଡଙ୍ଗାକୁ ମିଶାଇ ମୋଟ୍ ପାଞ୍ଚୋଟି ଡଙ୍ଗା କଢାଯାଇଛି । ଏହି ଡଙ୍ଗା ଗୁଡିକ ଶୁଖାଯିବା ସହ ଏହାର ଆବଶ୍ୟକୀୟ ମରାମତି କରାଯିବ । ଗତବର୍ଷ ଚନ୍ଦନ ଯାତ୍ରା ସରିବା ପରେ ଏହି ଡଙ୍ଗା ଗୁଡିକ ନରେନ୍ଦ୍ର ପୁଷ୍କରିଣୀରେ ବୁଡାଇ ରଖାଯାଇଥିଲା । ମହାରଣା ସେବକ ମାନେ ଏହାକୁ ମରାମତି କରିବା ପରେ ଚାପ ଡଙ୍ଗା ଗୁଡ଼ିକ ପ୍ରସ୍ତୁତ ହେବ । ସେପଟେ ଚନ୍ଦନ ଯାତ୍ରାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି ।