ବନ ବିଭାଗ ସହ ବହୁ ଛକାପଞ୍ଝା ପରେ ଆଜି ଆତ୍ମସମର୍ପଣ କରିଛନ୍ତି ୟୁଟ୍ୟୁବର ଦମ୍ପତି ମୋନାଲିସା ଓ ତାଙ୍କ ସ୍ୱାମୀ ।
ସୂଚନା ଅନୁସାରେ ମୋନାଲିସା ଯାଜପୁର ଜହଳ ଗାଁ ସ୍ଥିତ ଘରେ ମାଙ୍କଡ଼ ଓ ଘୋଡ଼ା ରଖିଥିଲେ। ସେମାନଙ୍କ ସହିତ ପ୍ରତିଦିନ ଫଟୋ ଉଠାଇ ଏବଂ ଭିଡିଓ କରି ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରୁଥିଲେ। ଦୀର୍ଘ ଦିନ ଧରି ସେ ଏପରି କାର୍ଯ୍ୟ କରି ଆସୁଥିଲେ। ଏଥିପାଇଁ ସେମାନେ ମାଲାମାଲ ବି ହେଉଥିଲେ। ମୋନାଲିସା କେତେବେଳେ ମାଙ୍କଡ଼ଙ୍କୁ ଖାଇବାକୁ ଦେଉଥିଲେ ତ ଆଉ କେତେବେଳେ ସାପ ଧରି ନଚାଉଥିଲେ। ଆଉ କେତେବେଳେ ଘୋଡା ପିଠିରେ ବସି ବୁଲୁଥିଲେ। ଯାହାର ଭିଡିଓ ଏବଂ ଫଟୋକୁ ନିଜ ୟୁଟ୍ୟୁବ ଏବଂ ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିଲେ। ତେବେ ବନ୍ୟ ଜୀବ ଜନ୍ତୁଙ୍କ ଫଟୋ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରିବା ଏକ ଦଣ୍ଡନୀୟ ଅପରାଧ ଜାଣି ମଧ୍ୟ ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ନିୟମିତ ଭାବେ ପୋଷ୍ଟ କରୁଥିଲେ। ବନବିଭାଗର ନିୟମକୁ ଫୁ କରିଥିଲେ ଏହି ୟୁଟ୍ୟୁବର ଦମ୍ପତି।
ଗତ ରବିବାର ପିସିସିଏଫ୍ ଓ କଟକ ଡିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ ସକାଳେ ଯାଜପୁର ରୋଡ୍ ବନଖଣ୍ଡ ରେଞ୍ଜ ଅଫିସ୍ଙ୍କ ନେତୃତ୍ୱରେ ୨ଟି ଟିମ୍ ତାଙ୍କ ଘରେ ରେଡ କରିଥିଲେ ହେଲେ ରେଡ ସମ୍ପର୍କରେ ଖବର ପାଇ ମୋନାଲିସା ଓ ତାଙ୍କ ସ୍ୱାମୀ ଚମ୍ପଟ ମାରିଥିଲେ। ବନ ବିଭାଗ ସେମାନଙ୍କ ଘରୁ ଗୋଟିଏ ମାଙ୍କଡ଼ ଉଦ୍ଧାର କରିଥିଲେ । ମୋନାଲିସା ଓ ତାଙ୍କ ସ୍ୱାମୀଙ୍କୁ ଧରିବା ପାଇଁ ବନ ବିଭାଗ ଦିନ ତମାନ ଚେଷ୍ଟା କରିଥିଲା। ହେଲେ ଦମ୍ପତିଙ୍କ ପତ୍ତା ନ ପାଇ ଖାଲି ହାତରେ ଫେରିଥିଲା ବନବିଭାଗ ପରେ ସେମାନଙ୍କ ବିରୋଧରେ ବନ ବିଭାଗ ପକ୍ଷରୁ ନମ୍ବର ୨୭୫/୨୪ରେ ଏକ ମାମଲା ରୁଜୁ କରାଯାଇଥିଲା। ଏତେ ସବୁ ଘଟଣା ପରେ ଆଜି ମୋନାଲିସା ଓ ତାଙ୍କ ସ୍ୱାମୀ ଆତ୍ମସମର୍ପଣ କରିଛନ୍ତି।