ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ବିନା କୌଣସି ଭୟରେ ନିଶା କାରବାର ହେଉଛି । କିଛି ବର୍ଷ ତଳେ ତୁରକେଲା ଥାନା ଅନ୍ତର୍ଗତ କନ୍ଦାଗାଢ ଜଙ୍ଗଲ ଭିତରେ କଫ ସିରଫ ଭର୍ତ୍ତିଥିବା ଗୋଟିଏ ଟ୍ରକ ଧରାପଡ଼ିଥିଲା । ଏବେ ପୁଣି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ନିଶା ବଟିକା ଏବଂ କଫ ସିରଫ ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସିଛି ।
ଆସନ୍ତା ମାସରେ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ତୁରକେଲା ପୋଲିସ ଉକ୍ତ ଅଞ୍ଚଳରେ ଜୋରଦାର ପେଟ୍ରୋଲିଙ୍ଗ କରୁଥିବା ସମୟରେ ତୁରେକେଲା ଥାନା ଗଏନ୍ଦିମାଲ ଗ୍ରାମ ନିକଟସ୍ଥ ଲାଂଥବୁଢା ନଦୀ ବ୍ରିଜ ଉପରେ ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ବହୁ ପରିମାଣର ନିଶା ବଟିକା ଏବଂ କଫ ସିରଫ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ୨ ଜଣଙ୍କ ପରିଚୟ ମିଳିଥିବା ସୂଚନା ମିଳିଛି । ଅଭିଯୁକ୍ତ ଦୁଇଜଣ ହେଲେ ତୁରକେଲା ଥାନା ମଲିକଦରହୋ ଗ୍ରାମର ବନମାଳୀ ଖର୍ଶେଲ ଏବଂ ପାଟଣାଗଡ଼ ଥାନା ମାଘମରା ଗ୍ରାମର କ୍ଷମାନିଧି ମେହେର । ଏମାନଙ୍କ ନିକଟରୁ ୬୬୦୦ ଟି ନାଇଟ୍ରୋଜେପାମ ବଟିକା ଏବଂ ୫୫ ଟି କଫ ସିରଫ ଜବତ ହୋଇଥିବା ବେଳେ ଗୋଟିଏ କାର, ଗୋଟିଏ ବାଇକ, ତିନୋଟି ମୋବାଇଲ ଏବଂ ଟଙ୍କା ଜବତ କରିଛି ପୋଲିସ । ଏନେଇ ତୁରେକେଲା ଥାନା ପୋଲିସ ସେମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏନେଇ ତୁରେକେଲା ଥାନାଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ , " ତୁରେକେଲା ଥାନା ଅଞ୍ଚଳରେ ବେଆଇନ କଫ ସିରଫ କାରବାର ରୋକିବା ଏବଂ ଅଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଅନ୍ୟପଟେ ଏହି କଫସିରଫ କୁ ସେବନ କରି ଯୁବପୀଢ଼ି ବିପଥଗାମୀ ହେବା ସଙ୍ଗେସଙ୍ଗେ ନିଜର ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି ସେଥିପାଇଁ ତୁରେକେଲା ଅଞ୍ଚଳରୁ ଅପରାଧ ମୁକ୍ତ ସହ କଫସିରଫ ମାଫିଆଙ୍କ ଆତଙ୍କରାଜ ଉପରେ ବହୁ ଶୀଘ୍ର ନିୟନ୍ତ୍ରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।
ଆଗକୁ ପଢ଼ନ୍ତୁ : କାରରୁ ଜବତ ହେଲା ବିପୁଳ ଗଞ୍ଜେଇ