ନୂଆଦିଲ୍ଲୀ : ବିଳିବିଳାଉଛି ପାକିସ୍ତାନ । ଘଡିକୁ ଘଡି କଥା ବଦଳାଉଛି ପାକିସ୍ତାନ । ପୂର୍ବରୁ ବିଶ୍ବବ୍ୟାଙ୍କ ପାଖରେ ଅଧିକ ଟଙ୍କା ପାଇଁ ହାତ ପକାଉଥିବା ନେଇ ପୋଷ୍ଟ କରିଲା ପରେ ଏବେ ସେହି ପୋଷ୍ଟ ମିଛ ବୋଲି ପାକିସ୍ଥାନ ଦାବି କରୁଛି ।
ସୂଚନାଯୋଗ୍ୟ ପାକିସ୍ତାନର ସବୁ ଯୋଜନା ଭାରତ ବିଫଳ କରିବା ପରେ ଏବେ କାଳେ ଦେବାଳିଆ ହେଲାଣି ପାକିସ୍ତାନ। ବିଶ୍ବବ୍ୟାଙ୍କ ପାଖରେ ଋଣ ପାଇଁ ହାତ ପତାଉଛି। ଭାରତ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଅଧିକ ଋଣ ପାଇଁ ନିବେଦନ କରୁଥିବା ଏଭଳି ଏକ ପୋଷ୍ଟ ଭାଇରାଲ ହେବା ପରେ ପାକିସ୍ତାନର ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟ ଦାବି କରିଛି ଯେ ଶୁକ୍ରବାର ଦିନ ଏହାର ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି ବୋଲି କହିଛି ଏବଂ ଉକ୍ତ ଏକ୍ସ ଆକାଉଣ୍ଟକୁ ବନ୍ଦ କରିବା ପାଇଁ କାମ କରୁଛି ବୋଲି ଗଣମାଧ୍ୟମରେ କହିଛି ।
ପ୍ରଥମେ ପାକିସ୍ତାନ ଅର୍ଥନୈତିକ ବ୍ୟାପାର ମନ୍ତ୍ରଣାଳୟର ଏକ ପୋଷ୍ଟ ଜୋରଦାର ଭାଇରାଲ ହେବାରେ ଲାଗିଥିଲା। ଯେଉଁଥିରେ ମନ୍ତ୍ରଣାଳୟର ଟ୍ୱିଟ୍ କରି, ଭାରତ ପ୍ରତିଶୋଧ ନେଉଛି କହି, ଭାରତ ସହିତ ଉତ୍ତେଜନା ହ୍ରାସ କରିବାରେ ସାହାଯ୍ୟ କରିବାକୁ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଆହ୍ୱାନ କରିଥିଲା। ଏଥିସହିତ ଅନ୍ତର୍ଜାତୀୟ ଅଂଶୀଦାରମାନଙ୍କୁ ଅଧିକ ଋଣ ପାଇଁ ନିବେଦନ କରିଥିଲା। ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ସମୋଲୋଚନାର ଶିକାର ହୋଇଥିଲା ପାକିସ୍ତାନ। ହେଲେ କିଛି ଘଣ୍ଟା ପରେ ଏନେଇ ସ୍ପଷ୍ଟୀକରଣ ରଖି ଏହାର ଏକ୍ସ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି ବୋଲି ଦାବି କରିଛି।
ଅପରେସନ ସିନ୍ଦୂର ପରେ ଆକ୍ରମଣାତ୍ମକ ହୋଇଉଠିଛି ପାକିସ୍ତାନ। ଭାରତର ସାମରିକ, ଅଣସାମରିକ ଏବଂ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି, ଯେତେବେଳେ କି ଭାରତ କେବଳ ପାକିସ୍ତାନର ଆତଙ୍କୀ ଆଡ୍ଡାକୁ ହିଁ ହମଲା କରିଥିଲା। କିନ୍ତୁ ଭୟଭୀତ ଥିବା ପାକିସ୍ତାନ ଦିଗହୀନ ଭାବେ ଭାରତ ଉପରେ ଆକ୍ରମଣ ଜାରି ରଖିଛି। ଗୁରୁବାର ରାତିରେ, ପାକିସ୍ତାନ ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ସହିତ ବିଭିନ୍ନ ସ୍ଥାନରେ ଡ୍ରୋନ ଆକ୍ରମଣ କରିବାକୁ ଚେଷ୍ଟା କରିବା ସମୟରେ, ଭାରତୀୟ ସେନାର ବାୟୁ ପ୍ରତିରକ୍ଷା ୟୁନିଟଗୁଡ଼ିକ ଏକ ବଡ଼ ଧରଣର ପ୍ରତି-ଡ୍ରୋନ ଅଭିଯାନରେ ୫୦ ରୁ ଅଧିକ ଡ୍ରୋନକୁ ସଫଳତାର ସହ ନିଷ୍କ୍ରିୟ କରିଛନ୍ତି। ଉଧମପୁର, ସାମ୍ବା, ଜମ୍ମୁ, ଅଖନୁର, ନାଗ୍ରୋଟା ଏବଂ ପଠାନକୋଟ ସମେତ ପ୍ରମୁଖ ଅଞ୍ଚଳରେ ଏହି ଅଭିଯାନ କରାଯାଇଥିଲା। ଏହି ପ୍ରତିକ୍ରିୟାରେ L-70 ବନ୍ଧୁକ, Zu-23mm ତୋପ, ଚିଲକା ସିଷ୍ଟମ ଏବଂ ଉନ୍ନତ ପ୍ରତି-ଅଣମାନବ ବାୟୁ ପ୍ରଣାଳୀ (UAS) ର ବ୍ୟାପକ ମୁତୟନ କରାଯାଇଥିଲା। ଜବାବରେ ଭାରତ ମଧ୍ୟ ଲଗାତାର ପାକିସ୍ତାନର ପ୍ରମୁଖ ସହର କରାଚି, ପିଣ୍ଡି, ଲାହୋରର ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି।