ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ବିମାନବନ୍ଦରରରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପହଂଚିଥିଲେ । ସେଠାରୁ ସିଧା ମୋଦୀଙ୍କ କାରକେଡ୍ କଡା ସୁରକ୍ଷା ବଳୟ ମଧ୍ୟରେ ଗାଡ଼କଣ ଯାଇଥିଲା । ଗାଡ଼କଣରେ ମୋଦୀ ଯୋଗ୍ୟ ହିତାଧିକାରୀଙ୍କୁ ପିଏମ ଆବାସ ଯୋଜନାର ଭେଟି ଦେଇଥିଲେ । ପରେ ମୋଦୀ ସିଧାସଳଖ ଜନତା ମଇଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାହାରିଥିଲେ । ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ମୋଦୀ ସୁଭଦ୍ରା ହିତାଧିକାରୀଙ୍କୁ ଭେଟି ଦେବେ । ସେଥିପାଇଁ ମୋଦୀଙ୍କ ଅପେକ୍ଷାରେ ସୁଭଦ୍ରା ହିତାଧିକାରୀ । ଜନତା ମଇଦାନରେ ମୋଦୀ ପହଁଚିବା ପରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରିବେ ।
ମୋଦୀଙ୍କ ଗସ୍ତ ପାଇଁ ଜନତା ମଇଦାନକୁ ସୁସଜ୍ଜିତ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଏଥିରେ ସୁଭଦ୍ରା ହିତାଧିକାରୀ, ଭିଆଇପି, ଭିଭିଆଇପିଙ୍କ ସମେତ ନେତା, ମନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ବସିବାର ବ୍ୟବସ୍ଥା ହୋଇଛି। ସଭାସ୍ଥଳରେ ସମସ୍ତଙ୍କ ପାଇଁ ନିର୍ଦ୍ଧାରଣ ହୋଇଛି ସ୍ୱତନ୍ତ୍ର ବସିବା ସ୍ଥାନ। ସଭାସ୍ଥଳରେ ଆବଶ୍ୟକୀୟ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଛି। ଖାଦ୍ୟ, ପାନୀୟ ଓ ଶୌଚାଳୟ ସମେତ ପୁଲିସ କଣ୍ଟ୍ରୋଲ ରୁମ୍ ଆଦିର ବ୍ୟବସ୍ଥା ହୋଇଛି। ଜନତା ମଇଦାନର ୭ ନମ୍ବର ଗେଟ ଦେଇ ପ୍ରଧାନମନ୍ତ୍ରୀଙ୍କ କାରକେଡ ପ୍ରବେଶ କରିବ। ସେଥିପାଇଁ ଅସ୍ଥାୟୀ ରାସ୍ତା ମଧ୍ୟ ପ୍ରସ୍ତୁତ ହୋଇଛି। ସାଧାରଣ ଦର୍ଶକ ବା ହିତାଧିକାରି ଗାନ୍ଧୀପାର୍କ ସମ୍ମୁଖ ଗେଟ୍ ଦେଇ ପ୍ରବେଶ କରିବାକୁ ବ୍ୟବସ୍ଥା ହୋଇଛି। ସେହିପରି ଭିଆଇପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଜନତା ମଇଦାନର ମୁଖ୍ୟ ଗେଟ ଦେଇ ପ୍ରବେଶ କରିବା ପାଇଁ ବ୍ୟବସ୍ଥା କରାଯାଇଛି।