ଭୁବନେଶ୍ୱର: ଓଡ଼ିଶାରେ ଏବେ ବି ଜାରି ରହିଛି ମଧ୍ୟମ ଧରଣର ବନ୍ୟା ସ୍ଥିତି। ବ୍ରାହ୍ମଣୀ ଓ ବୈତରଣୀ ନଦୀ ଫୁଲିଥିବା ବେଳେ ବନ୍ୟା ପାଣି ହ୍ରାସ ପାଇବାକୁ ଆହୁରି କିଛି ଦିନ ସମୟ ଲାଗିବ। ଇଞ୍ଜିନିୟର-ଇନ୍-ଚିଫ୍ ଦିଲ୍ଲୀପ କୁମାର ରାଉତଙ୍କ ସୂଚନା ଅନୁସାରେ, ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଜଳବନ୍ଦୀ ସ୍ଥିତି ଜାରି ରହିପାରେ।
ଯାଜପୁର ଓ ଭଦ୍ରକରେ ନଦୀଜଳ ସ୍ତର ଧୀରେ ଧୀରେ କମୁଥିବାରୁ ଆଶ୍ୱସ୍ତି ମିଳିଛି। ତେବେ ଅନେକ ଅଞ୍ଚଳରୁ ବନ୍ୟାଜଳ ନିଷ୍କାସନ ପାଇଁ ଆହୁରି କିଛି ଦିନ ଲାଗିବ। ଯାଜପୁରରେ ହୋଇଥିବା ଦୁଇଟି ଘାଇ ମରାମତି କାମ ଚାଲିଥିବା ବେଳେ ଦୁର୍ବଳ ନଦୀବନ୍ଧ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ଇଞ୍ଜିନିୟରମାନେ ନଜର ରଖିଛନ୍ତି।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫ ଲକ୍ଷ ୧୫ ହଜାରରୁ ଅଧିକ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୩୭ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୨୯୩ଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଲୋକଙ୍କୁ ରଖାଯାଇଥିବା ବେଳେ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।
ଅନ୍ୟପଟେ ସୁବର୍ଣ୍ଣରେଖା ଓ ଜଳକା ନଦୀରେ ବର୍ତ୍ତମାନ ବନ୍ୟା ସ୍ଥିତି ନଥିବା ବେଳେ ଝାଡ଼ଖଣ୍ଡର ଚାଣ୍ଡିଲି ଡ୍ୟାମ୍ରୁ ଆସୁଥିବା ଜଳ ପ୍ରବାହ ଉପରେ ନଜର ରହିଛି। ଜଳ ପ୍ରବାହ ୬ ହଜାର କ୍ୟୁସେକ୍ ଛୁଇଁଲେ ପୁଣି ନୂଆ ସମସ୍ୟା ଉପୁଜିପାରେ ବୋଲି ଅଧିକାରୀମାନେ ସତର୍କ କରିଛନ୍ତି।
ବନ୍ୟା ସ୍ଥିତିର ସମୀକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଓ ଭଦ୍ରକର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ରିଲିଫ୍ ଓ ଉଦ୍ଧାର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ତେବେ ଆଗକୁ ପୁଣି ଚିନ୍ତା ବଢ଼ାଇଛି ପାଣିପାଗ। ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ଆସନ୍ତା କିଛି ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ IMD ସତର୍କତା ଜାରି କରିଛି। ଫଳରେ ବର୍ଷା ବଢ଼ିଲେ ବନ୍ୟା ସ୍ଥିତି ପୁଣି ଗମ୍ଭୀର ହେବାର ଆଶଙ୍କା ରହିଛି।