ଏବେ ପ୍ରଦୂଷଣ ତାଲିକାରେ ରାଜଧାନୀ ଭୁବନେଶ୍ୱର । ସୂଚନା ଅନୁସାରେ , ସୁପ୍ରିମକୋର୍ଟ ଦୀପାବଳିରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଥିଲେ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ନିୟମାବଳୀ ମଧ୍ୟ ଜାରି କଲା । ଦୀପାବଳି ପୂର୍ବରୁ ସମସ୍ତ ଜିଲ୍ଲା ପୋଲିସ ଓ ପ୍ରଶାସନ ଘନ ଘନ ଚଢ଼ାଉ କରି ବାଣ ଜବତ କରିଥିଲେ ।
ରାତି ୧୦ଟା ପରେ ବାଣ ନ ଫୁଟାଇବାକୁ ଭୁବନେଶ୍ବର-କଟକ କମିସନରେଟ୍ ପୋଲିସ ନିର୍ଦ୍ଦେଶ ଦେଇଥିଲା । ଏତେସବୁ କଟକଣା ଓ ନିୟମ ସର୍ତ୍ତେ ବି କାହା ଉପରେ କିଛି ପ୍ରଭାବ ପଡ଼ିଲା ନାହିଁ । ଦୀପାବଳିରେ ଏସବୁ ନିୟମକୁ ଖାତିର ନକରି ଢେର ରାତି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେମାନେ ମନଇଚ୍ଛା ବାଣ ଫୁଟାଇଥିଲେ। ଫଳରେ ଦୁଇ ଦିନ ହେଲା ଭୁବନେଶ୍ବର, କଟକ, ତାଳଚେର, ବାଲେଶ୍ବର ପରି ସହରର ବାୟୁମଣ୍ଡଳ ବିଷାକ୍ତ ହୋଇଯାଇଛି । ଦୀପାବଳି ରାତିରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ଅତି ଖରାପ ସ୍ତରରେ ରହିଛି । ରାତି ଗୋଟାଏ ପରେ ଭୁବନେଶ୍ବର ଓ କଟକର ଏକ୍ୟୁଆଇ ସ୍ତର ଏମିତି ଥିଲା ଯେ ଲୋକଙ୍କ ଆତଯାତ ଥିଲେ, ସ୍ଥିତି ଗମ୍ଭୀର ହୋଇଥାନ୍ତା। ଏସ୍ପିସିବିର ତଥ୍ୟ ଅନୁଯାୟୀ ଦୀପାବଳି ରାତିରେ ଭୁବନେଶ୍ବର, କଟକ, ତାଳଚେର ଓ ବାଲେଶ୍ବରର ଭଳି ପ୍ରମୁଖ ଜିଲ୍ଲାରେ ଏକ୍ୟୁଆଇ ୫୦୦ ଟପି ଯାଇଥିଲା । ତାଳଚେରରେ ପ୍ରଦୂଷଣର ମାତ୍ରା ହାରାହାରି ୩୩୫ ଥିଲା । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଆଖପାଖରେ ୩୩୨, । କଟକରେ ୨୯୪, ସମ୍ବଲପୁରରେ ୨୯୪ ଓ ଭୁବନେଶ୍ବର ପଟିଆ ଅଞ୍ଚଳରେ ୨୯୦ ଥିଲା । ରାତି ଗୋଟାଏରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ପିଏମ୍-୧୦ ମାତ୍ରା ୯୯୯ରେ ପହଞ୍ଚିଥିଲା । ଯେଉଁଥିରେ ମଣିଷ ଓ ଜୀବଜଗତ ବଞ୍ଚି ରହିବା ଅସମ୍ଭବ।
ଏହି ସମୟରେ କଟକରେ ପ୍ରଦୂଷଣର ମାତ୍ର ୮୮୨ ରହିଥିଲା । ଆଉ ଭୋର ୫ଟା ସମୟରେ ଭୁବନେଶ୍ବର ଓ କଟକ ସହରର ଏକ୍ୟୁଆଇ ୨୦୦ ଉପରେ ରହିଥିଲା । ପରବର୍ତ୍ତୀ ସମୟରେ ସକାଳ ୯ଟା ବେଳକୁ ଏହା ହ୍ରାସ ପାଇ ୧୭୩ରେ ପହଞ୍ଚିଥିଲା ।ପୂର୍ବ ଅପେକ୍ଷା ଦୀପାବଳି ଦିନ ରାଜ୍ୟର ବିଭିନ୍ନ ସହରରେ ପ୍ରଦୂଷଣ ମାତ୍ରା ଦୁଇରୁ ତିନି ଗୁଣ ପର୍ଯ୍ୟନ୍ତ ବଢ଼ିଯାଇଛି । ବାଲେଶ୍ବର ଜିଲ୍ଲା ପ୍ରଦୂଷଣ ଅଧିକାରୀଙ୍କ କହିବା ଅନୁଯାୟୀ ସହରରେ ବାୟୁ ପ୍ରଦୂଷଣର ମାତ୍ରା ହାରାହାରି ୧୨୦ ଭିତରେ ରହିଥାଏ । ମାତ୍ର ଦୀପାବଳି ଦିନ ଏହା ୨୮୫ରେ ପହଞ୍ଚିଥିଲା । ସେହିପରି ବ୍ରହ୍ମପୁରରେ ୧୧୯, କୋରାପୁଟରେ ଏକ୍ୟୁଆଇ ୬୦ ଥିଲା ।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ସଦସ୍ୟ ସଚିବ କହିଛନ୍ତି ଯେ , ଦୀପାବଳି ଦିନ ସକାଳ ସମୟରେ ରାଜ୍ୟର ସମସ୍ତ ସହରର ବାୟୁ ପ୍ରଦୂଷଣର ମାତ୍ରା ନିୟନ୍ତ୍ରଣ ଭିତରେ ଥିଲା । ମାତ୍ର ସନ୍ଧ୍ୟା ସମୟରେ ୨ରୁ ୪ ଘଣ୍ଟା ମଧ୍ୟରେ ବହୁ ପରିମାଣରେ ବାଣ ଫୁଟିବା ଦ୍ବାରା ପ୍ରଦୂଷଣ ମାତ୍ରା କେତେକ ସ୍ଥାନରେ ୩୦୦ ଉପରକୁ ଚାଲିଯାଇଥିଲା । ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ନ୍ୟାୟାଳୟ, ଧାର୍ମିକ ଅନୁଷ୍ଠାନର ୧୦୦ ମିଟର ପରିସୀମା ମଧ୍ୟରେ ବାଣ ନ ଫୁଟାଇବା ।
ଖୋଲା ସ୍ଥାନରେ ସବୁଜ ବାଣ ଫୁଟାଇବା, କେମିକାଲ ବାଣର ଉତ୍ପାଦନ ଓ ବିକ୍ରି ନ କରିବା । ୧୨୫ ଡେସିବଲ୍ ସ୍ତରରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହୋଇଥିଲା । ଏପରିକି ନିୟମର କୌଣସି ଖିଲାପ ହେଲେ ଓଡ଼ିଶା(ଆତସବାଜି ଓ ଡାକବାଜି ଯନ୍ତ୍ର ପ୍ରବିଧାନ) ଆଇନ ୧୯୫୮ ଓ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ୨୦୦୦ ଅନୁଯାୟୀ ଦଣ୍ଡ ବିଧାନର ବ୍ୟବସ୍ଥା ମଧ୍ୟ ରହିଛି । ଏ ସମ୍ପର୍କିତ ଯେକୌଣସି ଅଭିଯୋଗ ସମ୍ପୃକ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇପାରିବ ବୋଲି ଏସ୍ପିସିବି ପକ୍ଷରୁ କୁହାଯାଇଥିଲା ।
ଏତେ କଟକଣା ଓ ସଚେତନ ପରେ ମଧ୍ୟ ଲୋକଙ୍କ ମଧ୍ୟରେ ସଚେତନତା ଜାଗ୍ରତ ହେଲା ନାହିଁ । ଭବିଷ୍ୟତରେ ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ନେଇ ପରିବେଶବିତ୍ମାନେ ଆଶଙ୍କା କରିଛନ୍ତି ।
ଆଗକୁ ପଢନ୍ତୁ :- ଦୀପ ନିଆଁରେ ଜଳିଗଲା ୨ ମହଲା ବିଶିଷ୍ଟ କୋଠା ଘର