ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି । ମୁମ୍ବାଇର କୋକିଳା ବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ନବୀନଙ୍କର ସର୍ଭାଇକଲ ଆର୍ଥରାଇଟିସର ଅସ୍ତ୍ରୋପଚାର କରାଯାଇଛି । ଆଗାମୀ ଦୁଇ ଦିନ ପାଇଁ ଡାକ୍ତରଙ୍କ ନିରୀକ୍ଷଣରେ ରହିବେ ନବୀନ ।
ଅସ୍ତ୍ରୋପଚାର ପାଇଁ ଶୁକ୍ରବାର ଅର୍ଥାତ ଜୁନ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ବିରୋଧୀ ଦଳ ନେତା । ନବୀନ ନିବାସରୁ ଏୟାରପୋର୍ଟ ଅଭିମୁଖେ ବାହାରିବା ସମୟରେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ତାଙ୍କ ପ୍ରଶଂସକ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ । ଏପରିକି ମହିଳା କର୍ମୀମାନେ କଳସ ବସାଇ ବନ୍ଦାବନା କରି ନବୀନଙ୍କ ଶୁଭ ମନାସି ଥିଲେ । ଏପରିକି ନବୀନଙ୍କ ସୁସ୍ଥ କାମନା କରି ଦଳୀୟ ନେତା ଅନେକ ମନ୍ଦିରରେ ପୂଜା କରିଥିବା ଦେଖିବାକୁ ମିଳିଛି ।
ନବୀନ ଏୟାରପୋର୍ଟ ଯିବା ସମୟରେ ବିମାନ ବନ୍ଦର ଛକରୁ ଏୟାରପୋର୍ଟ ପର୍ଯ୍ୟନ୍ତ ବିଜେଡି କର୍ମୀଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ନବୀନଙ୍କ ଅସ୍ତ୍ରୋପଚାର ପୂର୍ବରୁ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରାଯାଇଥିଲା । ଦିଲ୍ଲୀରେ ଓଡ଼ିଆ କମ୍ୟୁନିଟି ପକ୍ଷରୁ ଜଗନ୍ନାଥ ମନ୍ଦିରରେ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିଲା ।
ସେହିପରି ଶନିବାର ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ବରିଷ୍ଠ ନାଗରିକ ପୂଜାର୍ଚ୍ଚନା କରିଥିଲେ । ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ମଧ୍ୟ ଦଳୀୟ କର୍ମୀ ଓ ନେତା ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସଂଯୋଜନାରେ ବରିଷ୍ଠ ନାଗରିକଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ସହ ହନୁମାନ ଚାଳିଶା ପାଠ କରାଯାଇଥିଲା ।