କେନ୍ଦ୍ରାପଡା: ବସ୍ରେ ସ୍ବାମୀ-ସ୍ତ୍ରୀ ଘରକୁ ଫେରୁଥିଲେ। ଉଭୟ ପେଶାରେ ଶ୍ରମିକ। ହେଲେ ବସ୍ ଭିତରେ ସ୍ଵାମୀଙ୍କର ଆକସ୍ମିକ ମୃତ୍ୟୁ ଘଟିଲା। ଏକଥା ଜଣିବା ପରେ ଅଧାବାଟରେ ବସ୍ ରଖି ପତ୍ନୀଙ୍କୁ ବସ୍ରୁ ଓହ୍ଲାଇ ଯିବାକୁ ବାଧ୍ୟକଲେ ବସ୍ର ଚାଳକ ଓ କର୍ମଚାରୀ। ମୃତଦେହ ଧରି ପତ୍ନୀ ଓହ୍ଲାଇଯିବା ପରେ ସେଠାରେ ତାଙ୍କୁ ଛାଡ଼ିଦେଇ ପଳାଇଲା ବସ୍। ରାସ୍ତାରେ ସମୀଙ୍କ ମୃତଦେହ ଧରି ଅସହାୟ ଅବସ୍ଥାରେ ପତ୍ନୀ କନ୍ଦୁଥିଲେ। କେନ୍ଦ୍ରପଡ଼ା ଜିଲ୍ଲା ସଦର ମହକୁମାର ପ୍ରବେଶପଥ କୁହାଯାଉଥିବା ଦୁହୁରିଆ ଛକଠାରେ ଗତକାଲି ଏମିତି ଏକ ଅଭାବନୀୟ ଘଟଣା ଦେଖିବ ମିଳିଛି । ବସ୍ ଚାଳକ ଓ କର୍ମଚାରୀଙ୍କ ମାନବିକତା ଓ ଦାୟିତ୍ଵ ହାନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ।
ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ନ ଚାନ୍ଦବିଲ ଗାଁର ବାଘରାଏ ମାରଢ଼ି ଓ ତାଙ୍କ ପତ୍ନୀ ଦୁଲାରି ମାରଢ଼ି କାମ ପାଇଁ କେନ୍ଦ୍ରାପଡ଼ା ଆସିଥିଲେ । କୌଣସି ଜରୁରି କାମ ଥିବାରୁ ବସ୍ ଯୋଗେ ସେମାନେ ଆଳି ଘରକୁ ଫେରୁଥିଲେ। ବାଘରାଏ ଏହି ସମୟରେ ବସ୍ରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ବାଘରାଏଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ବସ୍ ଚାଳକ ମୃତଦେହକୁ ଦୁହୁରିଆ ଛକରେ ଜବରଦସ୍ତ ଓହ୍ଲାଇ ଛାଡ଼ି ଦେଇ ବସ୍ ନେଇ ପଳାଇଥିଲେ। ସ୍ଥାନୀୟ ଅଞ୍ଚଳର କିଛି କିଛି ଲୋକଙ୍କ ସହାୟତାରେ ବାଘରାଏଙ୍କ ମୃତଦେହ କେନ୍ଦ୍ରାପଡ଼ା ମଡିକାଲରେ ପହଞ୍ଚାଇବା ବ୍ୟବସ୍ଥା କରାଯାଇ ଥିଲା। ଏନେଇ ପୁଲିସରେ କିଛି ଅଭିଯୋଗ ହୋଇନାହିଁ।