କେନ୍ଦୁଝର: କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନାକୁ ନେଇ ଆସିଲା ବଡ ଖବର। କେନ୍ଦୁଝରରେ ନିଶ୍ଚିତ ଭାବେ ଷ୍ଟିଲ ପ୍ଲାଣ୍ଟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭାରତର ଜେଏସଡବ୍ଲୁ ଓ ଦକ୍ଷିଣ କୋରିଆର ପୋସ୍କୋ କମ୍ପାନୀ ମିଳିତ ଉଦ୍ୟମରେ ଏହି ପ୍ଲାଣ୍ଟ ନିର୍ମାଣ କରାଯିବ। ଏହା ଭିତରେ ଦୁଇ କମ୍ପନୀ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇସାରିଛି। ଦୁଇଦିନିଆ କେନ୍ଦୁଝର ଗସ୍ତରେ ଥିବା ବେଳେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ମୁମ୍ବାଇରେ ମେକ ଇନ ଓଡିଶା ରୋଡ ସୋ ବେଳେ ଉଭୟ କମ୍ପାନୀ ସହିତ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ।
ସୂଚନାଯୋଗ୍ୟ ଦକ୍ଷିଣ କୋରିଆ କମ୍ପାନୀ ପୋସ୍କୋ ୨୦୦୫ ମସିହାରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନା ପାଇଁ ଚୁକ୍ତିନାମା ସ୍ଵାକ୍ଷର କରିଥିଲା। ୨୭୦୦ ଏକର ଜମି ଅଧିଗ୍ରହଣ ସାରିଥିଲେ ହେଁ ଜମି ବିବାଦ ଲାଗି ରହିଥିଲା। ଜମି ଅଧିଗ୍ରହଣ ବିବାଦ ଯୋଗୁଁ ତିଆରି ହୋଇପାରିନଥିଲା ଏହି ପ୍ରକଳ୍ପ। ଶେଷରେ ୨୦୧୭ରେ ଏହି ପ୍ରକଳ୍ପ ଓଡିଶାରୁ ଓହରି ଯାଇଥିଲା। ତେବେ ବର୍ତମାନ ଏହି ପ୍ରକଳ୍ପର ସ୍ଥାପନା ପାଇଁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ରାଜ୍ୟରେ ଷ୍ଟିଲ ପ୍ଲାଣ୍ଟ ସ୍ଥାପନା ଦ୍ୱାରା ରାଜ୍ୟର ଯୁବପିଢିଙ୍କୁ ରୋଜଗାର ମିଳିବା ସହିତ ନିଯୁକ୍ତିର ସୁଯୋଗ ବୃଦ୍ଧି ପାଇବ। ଏହାଦ୍ୱାରା ରାଜ୍ୟ ତଥା ସ୍ଥାନୀୟ ବାସିନ୍ଦା ମାନେ ଉପକୃତ ହେବ ନେଇ ଆଶା କରାଯାଉଛି।