ଢେଙ୍କାନାଳ : ଢେଙ୍କାନାଳରୁ ପୁଣି ବିଦେଶକୁ ଗଲା ଆମ୍ବ। ବିଦେଶରେ ଢେଙ୍କାନାଳ ଆମ୍ବର ଚାହିଦା। ଇଟାଲି ଲଣ୍ଡନ ପରେ ଏଥର ଦୁବାଇ ବାସୀ ଚାଖିବେ ଢେଙ୍କାନାଳ ସୁଆଦିଆ ଆମ୍ରପଲ୍ଲୀ ଆମ୍ବ। ଢେଙ୍କାନାଳ ସଦର ବ୍ଲକ ସପ୍ତଶଯ୍ୟା ଆଗ୍ରୋ ପ୍ରଡ୍ୟୁସର ପକ୍ଷରୁ ଏକ ଟନ ସାତ କୁଇଣ୍ଟାଲ ଆମ୍ବ ହେଲା ରପ୍ତାନୀ। ଭାରତ ସରକାରଙ୍କ ଆପେଡା, ରାଜ୍ୟ ସରକାରଙ୍କ ପାଲାଡିୟମ ଓ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ମାଧ୍ୟମରେ ଏହା ସମ୍ଭବ ହୋଇପାରିଛି। ସବୁଠାରୁ ବଡ କଥା ହେଲା ରପ୍ତାନୀ ହୋଇଥିବା ଆମ୍ବ ସବୁକୁ ସପ୍ତଶଯ୍ୟା ଓ ଭଅଁରନାଳୀ ଅଞ୍ଚଳର ଜୁଆଙ୍ଗ ଜନଜାତିର ମହିଳା ମାନେ ବକ୍ସ ପ୍ୟାକିଂ, ଟ୍ୟାପିଂ, ଷ୍ଟିକରିଂ ଓ ନମ୍ବରିଙ୍ଗ କରିଥିଲେ। ଏସବୁ କାମ ବଦଳରେ ସେମାନେ ବେଶ ଦୁଇ ପଇସା ରୋଜଗାର ମଧ୍ୟ କରି ପାରିଛନ୍ତି।ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଜୁଆଙ୍ଗ ଜନଜାତିର ମହିଳା ମାନେ। ଆପେଡା ଓ ପାଲାଡିୟମ ମାଧ୍ୟମରେ ସେମାନଙ୍କୁ ସ୍ଵତନ୍ତ୍ର ଭାବେ ତାଲିମ ମଧ୍ୟ ଦିଆ ଯାଇଥିଲା।ଏପଟେ ବିଦେଶକୁ ଆମ୍ରପଲ୍ଲୀ ଆମ୍ବ ରପ୍ତାନୀ କରିବା ସହିତ ଦୁଇ ପଇସା ଅଧିକା ଆୟ କରି ବେଶ୍ ଖୁସି ବ୍ୟକ୍ତ କରିଛନ୍ତି ଆମ୍ବ ଚାଷୀ।
ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାରେ ସତୁରୀ ହଜାର ମେଟ୍ରିକ୍ ଟନ୍ ରୁ ଅଧିକ ଆମ୍ବ ଉତ୍ପାଦନ ହୋଇଛି।ବିଶେଷ କରି ଢେଙ୍କାନାଳ ସଦର ବ୍ଲକ ସପ୍ତଶଯ୍ୟା ଅଞ୍ଚଳରେ ଅନେକ ଚାଷୀଙ୍କର ପ୍ରାୟ ୨୦ଟନରୁ ଅଧିକ ସୁଆଦିଆ ଆମ୍ରପଲ୍ଲୀ ଓ ଦଶେରୀ ଆମ୍ବ ଫଳିଛି। ଯେଉଁଥିରୁ ଏକ ଟନ ସାତ କୁଇଣ୍ଟାଲ ଆମ୍ରପଲ୍ଲୀ ଆମ୍ବ ଦୁବାଇକୁ ରପ୍ତାନୀ କରାଯାଇଛି। ଆମ୍ବ ସବୁକୁ ତୋଳା ଯାଇ ଥଣ୍ଡା ପାଣିରେ ପ୍ରଥମେ ଧୁଆଯିବା ପରେ ସ୍ଵତନ୍ତ୍ର ଭାବେ ବକ୍ସ ପ୍ୟାକିଂ କରାଯାଇଥିଲା।ପରେ କଲିକତା ପଠା ଯାଇଥିଲା।ସେଠାରୁ ଫ୍ଲାଇଟ ଯୋଗେ ସିଧାସଳଖ ଦୁବାଇକୁ ଯିବ ଏହି ସବୁ ଆମ୍ବ।୨୦୨୩ ରେ ଢେଙ୍କାନାଳର ଆମ୍ବ ପ୍ରଥମେ ଦୁବାଇ, ପରେ ୨୦୨୪ ରେ ଇଟାଲି ଏବଂ ଦୁବାଇ କୁ ରପ୍ତାନୀ ହୋଇଥିଲା।ଚଳିତ ବର୍ଷ ପୁଣି ଦୁବାଇକୁ ଆମ୍ବ ରପ୍ତାନୀ ସମ୍ଭବ ହୋଇଥିବା ବେଳେ ଖୁବଶିଘ୍ର ଲଣ୍ଡନ ଓ ରୋମକୁ ମଧ୍ୟ ଆମ୍ବ ରପ୍ତାନୀ କରାଯିବ ବୋଲି ଜଣାପଡିଛି। ପଲ୍ଲୀରୁ ବିଦେଶ ମାଟିକୁ ଆମ୍ବ ରପ୍ତାନୀ ହେବା ଦ୍ଵାରା କେବଳ ଚାଷୀ ଉପକୃତ ହୋଇଛନ୍ତି ତାହା ନୁହଁ ବରଂ ଆମ୍ବ ରପ୍ତାନୀ କ୍ଷେତ୍ରରେ ଢେଙ୍କାନାଳ ଜିଲ୍ଲା ସମଗ୍ର ଦେଶରେ ସ୍ଵତନ୍ତ୍ର ପରିଚୟ ପାଇଛି।