ଭୁବନେଶ୍ୱର : ରବିବାର ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛିମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଦ୍ୱାରା ଶାସିତ ହୋଇ ଅତ୍ୟାଚାରର ଶିକାର ହେଉଥିଲା ସେତେବେଳେ ଏହି ଖୋର୍ଦ୍ଧା ମାଟିରୁ ବିଦ୍ରୋହର ସ୍ପୁଲିଙ୍ଗ ନିର୍ଗତ ହୋଇଥିଲା । ଏ ଜାତିର ବୀର ପାଇକମାନଙ୍କୁ ଏକାଠି କରି ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ତାହା ସାରା ଇଂରେଜ ଶାସନକୁ ହତବାକ୍ କରିଦେଇଥିଲା । ତେଣୁ ଏହି ବୀରତ୍ୱର ଗାଥାକୁ ଯୁବପିଢ଼ି ପଢ଼ିବା ଜରୁରୀ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରାକ୍ତନ ଶିକ୍ଷା ପ୍ରଶାସକ ଡ. ପ୍ରଫୁଲ୍ଲ କୁମାର ରଥ ସମ୍ମାନିତ ବକ୍ତା ଭାବେ ଯୋଗଦେଇ ଜୟୀ ରାଜଗୁରୁଙ୍କୁ ଜଣେ ବିଶିଷ୍ଟ ଦେଶଭକ୍ତ, ରାଜଭକ୍ତ ଓ ଜାତିଭକ୍ତ ବୋଲି କହିବା ସହ ତାଙ୍କଠାରେ ତ୍ୟାଗୀ ଓ ଯୋଗୀର ଅପୂର୍ବ ସମନ୍ୱୟ ଘଟିଥିଲା ବୋଲି ମତବ୍ୟକ୍ତ କରିଥିଲେ । ଦୂରଦୃଷ୍ଟି ଓ ଯୁଦ୍ଧକୌଶଳ ତାଙ୍କୁ ପ୍ରକୃତ ବୀର ଆଖ୍ୟା ପ୍ରଦାନ କରିଛି ବୋଲି ସେ କହିଥିଲେ ।
ସେହିପରି ବିଶିଷ୍ଟ ଶିକ୍ଷାବିତ୍ ତଥା ଐତିହାସିକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଇଂରେଜମାନଙ୍କୁ ଏ ମାଟିରୁ ତଡ଼ିବା ପାଇଁ ଯେଉଁ ଜାତୀୟତା ଜନ୍ମଲାଭ କରିଥିଲା ତାହାର ନେତୃତ୍ୱ ନେଇଥିଲେ ବିପ୍ଳବୀ ଜୟୀ ରାଜଗୁରୁ । ତାଙ୍କ ସମୟରେ ଯେଉଁ ସଂଗ୍ରାମ ଆରମ୍ଭ ହୋଇଥିଲା ତାହା ହିଁ ଥିଲା ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ‘ଜୟୀ ରାଜଗୁରୁଙ୍କ ଜୀବନୀ’ ସଂପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ମାନ୍ୟବର ଶ୍ରୀଯୁକ୍ତ ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର ଉଦ୍ଘାଟନ କରିଥିବାବେଳେ ଏଥିରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରଥମ ନିର୍ଦ୍ଦେଶକ ଡ. କୈଳାଶ ଚନ୍ଦ୍ର ଟିକାୟତରାୟ, ପ୍ରାକ୍ତନ ପ୍ରଶାସକ ଦିଗମ୍ବର ମହାନ୍ତି, ଐତିହାସିକ ଡ. ବିନୋଦିନୀ ଦାଶ, ଶିକ୍ଷାବିତ୍ ପ୍ରଫେସର ପ୍ରସନ୍ନ କୁମାର ଜେନାଙ୍କ ସମେତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଗବେଷକ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଜୟୀ ରାଜଗୁରୁଙ୍କ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ବୈଷୟିକ ସ୍ୱାଗତ ଭାଷଣ ଦେଇଥିବାବେଳେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ସମ୍ପାଦକ ଜଟାଧାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।