ଜଗତସିଂହପୁର : କାର୍ତ୍ତିକ ମାସ ହେଉଛି ସମସ୍ତ ମାସ ମଧ୍ୟରେ ଶ୍ରେଷ୍ଠ ମାସ। କାର୍ତ୍ତିକ ମାସ ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ସମସ୍ତେ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି। ତେବେ ଯେଉଁମାନେ ମାସସାରା କାର୍ତ୍ତିକ ପାଳି ନ ପାରନ୍ତି ସେମାନେ ପଞ୍ଚୁକ ପାଞ୍ଚଦିନ ପାଳନ କରିଥାନ୍ତି। ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଗ୍ରାମରେ ସମସ୍ତେ ଏହି ପଂଚୁକ ୫ଦିନ ଗାଁ ଦାଣ୍ଡରେ ବାଲିରେ ପିଣ୍ଡୁଳା ଆକାରର ବାଲୁକା ନିର୍ମାଣ କରି ପୂଜା କରନ୍ତି। ପଂଚୁକ ୫ ଦିନ ପର୍ଯ୍ୟନ୍ତ ଏହି ବାଲୁକା ପୂଜା ଗାଁ ଦାଣ୍ଡମାନଙ୍କରେ ଦେଖିବାକୁ ମିଳେ। ପଂଚୁକ ପ୍ରଥମ ଦିନରେ ରାଧା କୃଷ୍ଣଙ୍କୁ ରାଜା ରାଣୀ ବେଶରେ ପୂଜା କରାଯାଏ।
ଏହାପରେ ଝିଅବୋହୁମାନେ ରାଜା ରାଣୀଙ୍କ ଚାରିପଟେ ପ୍ରଥମ୍ ଘେରା ମରିଥାନ୍ତି , ଦ୍ଵିତୀୟ ଦିନ ଦୁଇ ଘେରା ଏମିତି ପାଞ୍ଚ ପାଳି ପର୍ଯ୍ୟନ୍ତ ପାଞ୍ଚଘେରା କରି ପୂଜା କରାଯାଏ। ବାଲୁକା ପୂଜା କଲେ ମାନସିକ ପୂରଣ ହେଉଥିବାରୁ ଏହି ପୂଜାକୁ ପ୍ରାୟତଃ ଗାଁର ଝିଅମାନେ ଏହି ପୂଜା କରିଥାନ୍ତି। ଏହି ବାଲୁକା ମାଧ୍ୟମରେ ରାଧା, କୃଷ୍ଣଙ୍କୁ ରାଜା ରାଣୀ ବେଶରେ ବାଲି ପିଣ୍ଡୁଳା ମାଧ୍ୟମରେ ଗଢି ରାଜାଙ୍କ ଚାରି ପାର୍ଶ୍ଵରେ ରାଜାଙ୍କ ସେନା ଗଢ଼ିଥାନ୍ତି। ଯେହେତୁ ଏହି ପୂଜା ୫ଦିନ ଧରି ହୋଇଥାଏ ସେଥିପାଇଁ ସୈନିକମାନେ ରାଜାଙ୍କୁ ଘେରି ରହିଥାନ୍ତି। ଏହି ପୂଜାରେ ଶେଷ ଦିନ ଏହି ବାଲୁକାଙ୍କ ପାଖରେ ପୋଡପିଠା ଭୋଗ କରାଯାଏ। ଏହି ପୂଜାରେ ଝିଅ ମାନେ ଭଗବାନ ରାଧା କୃଷ୍ଣଙ୍କ ଜଣାଣ ଗାନ କରି କଉଡ଼ି ଖେଳନ୍ତି।