ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ଗୁରୁତ୍ଵପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ୮ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ଏଥିରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୫ଟି ପ୍ରସ୍ତାବ ରହିଛି। ଏଥିରେ ସରକାରୀ ନିଯୁକ୍ତି ସଂପର୍କିତ ପରୀକ୍ଷାରେ ହେଉଥିବା ଅନିୟମିତା ଉପରେ ବଡ଼ ନିଷ୍ପତ୍ତି ଗ୍ରହଣ କରିବା ସହିତ ଏହାକୁ ଅନୁମୋଦନ ମିଳଛି। ଏହା ବାଦ୍ ରାଜ୍ୟ କ୍ୟାବିନେଟ୍ରେ ଗୋମାତା ଯୋଜନାକୁ ମଞ୍ଜୁରୀ ମିଳିଛି।
ବୁଧବାର ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ୫ ବର୍ଷ ଜେଲ୍ ସହ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିବ। ପରୀକ୍ଷା କରୁଥିବା ସର୍ଭିସ ପ୍ରୋଭାଇଡରଙ୍କୁ ଏକ କୋଟି ଟଙ୍କା ଜରିମାନା କରାଯିବ। ଏହି ନିୟମ ଓପିଏସସି, ଓଏସଏସସି, ଓଏସଏସଏସସି ଆଦି ପରୀକ୍ଷା ପାଇଁ ଏହି ନିୟମ ଲାଗୁ ହେବ। ଜରିମାନା ପୈଠ କରିବାରେ ବିଫଳ ହେଲେ, ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବ୍ୟବସ୍ଥା ଅନୁଯାୟୀ, ଅତିରିକ୍ତ କାରାବାସ ଦଣ୍ଡ ଲାଗୁ କରାଯିବ ।
ଏହି ‘ଓଡ଼ିଶା ପବ୍ଲିକ ଏକ୍ସଜାମିନେସନ(ପ୍ରିଭେନ୍ସନ୍ ଅଫ ଅନଫେୟାର ମିନସ) ଆକ୍ଟ-୨୦୨୪’ କାର୍ଯ୍ୟକ୍ଷମ ହେଲେ, ସରକାରୀ ଚାକିରି ପାଇଁ ଚୟନ ପରୀକ୍ଷାରେ ବିଭିନ୍ନ ପ୍ରକାରର ଅନିୟମିତା, ଯଥା ମିଥ୍ୟା ପରିଚୟ ପ୍ରଦାନ, ନିର୍ଦ୍ଧାରିତ ସମୟ ପୂର୍ବରୁ ପରୀକ୍ଷା ସଂକ୍ରାନ୍ତ ସୂଚନା ଲିକ୍, ପରୀକ୍ଷା ହଲ୍ ଭିତରକୁ ଅନଧିକୃତ ଲୋକଙ୍କ ପ୍ରବେଶ ନିଷେଧରେ ବ୍ୟାଘାତ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।