ଭୁବନେଶ୍ଵର: ରାଜ୍ୟର ମୋହନ ମାଝୀ ସରକାର ରାଜ୍ୟରେ ମତ୍ସ୍ୟ ଓ ପଶୁସମ୍ପଦର ବିକାଶ ସହ ଚାଷୀମାନଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେବା ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମୋଟ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିରେ ଗୋମାତା ଯୋଜନାକୁ ମଞ୍ଜୁରୀ ମିଳିଛି।
ନିଜସ୍ୱ ନୂଆ ରାଜ୍ୟ ଯୋଜନା ‘ଗୋମାତା’ରେ ୩ ବର୍ଷରେ ୩୪୨.୬୫ କୋଟି ଟଙ୍କା ଓ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ ‘କୁକୁଟ୍ଟ ଉନ୍ନୟନ’ ଉପଯୋଜନାରେ ୫ ବର୍ଷରେ ୧୦୩୧.୧୯କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି । ଏଥିରେ ୩ ଲକ୍ଷ ୭୩ହଜାର ୯୨୮ଜଣ ଚାଷୀ ଓ ମହିଳା ଏସଏଚଜି ଉପକୃତ ହେବେ ଏବଂ ରାଜ୍ୟରେ ଅତିରିକ୍ତ ଭାବେ ବାର୍ଷିକ ୯୫.୫୮ ଏମଟିଏମ୍ କୁକୁଡ଼ା ମାଂସ ଓ ଦୈନିକ ୫.୫ଲକ୍ଷ ଅଣ୍ଡା ଉତ୍ପାଦନ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଗୋମାତା ଯୋଜାନରେ ପ୍ରାଣୀଙ୍କ ପାଇଁ ଟିକା ଉତ୍ପାଦନ, ଭ୍ରାମ୍ୟମାଣ ସେବା ବ୍ୟବସ୍ଥା କରାଯିବ। ଏହି ଯୋଜନାରେ ବାର୍ଷିକ ୨.୫ କୋଟି ଟିକାକରଣ ସହ ୧.୩୦ କୋଟି ପ୍ରାଣୀଧନ ଚିକିତ୍ସା କରାଯିବ | ସେହିପରି ପ୍ରାଣୀ ସଂପଦ ସମୃଦ୍ଧି ଯୋଜନାରେ ମୋଟ୍ ୫ ବର୍ଷରେ ଖର୍ଚ୍ଚ ହେବ ୧୦୩୧ କୋଟି ଟଙ୍କା | ଏଥିରେ ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ | ଦୈନିକ ୫ ଲକ୍ଷ ଅଣ୍ଡା ଉତ୍ପାଦନ ହେବ |
ରାଜ୍ୟରେ ୯୫.୫୮ ମେଟ୍ରିକ ଟନ କୁକୁଡ଼ା ମାଂସ ଉତ୍ପାଦନ ହେବ | ମତ୍ସ୍ୟ ସଂପଦ କ୍ଷେତ୍ରରେ ଭିତ୍ତି ଭୂମି ସୃଦୁଢ ପାଇଁ ୩ ବର୍ଷ ପାଇଁ ୪୪୯ କୋଟି ଟଙ୍କା ଖର୍ଚ୍ଚ ହେବ | ଅନ୍ୟପକ୍ଷରେ ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ଅନ୍ତର୍ଗତ ୧୭ଟି ଉପଯୋଜନାରେ ୨୨୩୯କୋଟି ଟଙ୍କା ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ୨୦୨୪-୨୫ରୁ ୨୦୨୮-୨୯ ମସିହା ମଧ୍ୟରେ ଏହି ଅର୍ଥ ଖର୍ଚ୍ଚ ହେବ ।