ବଲାଙ୍ଗୀର: ନବଜାତ ଶିଶୁ କନ୍ୟାକୁ ଜନ୍ମ କଲା ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସବଡିଭିଜନ ଅନ୍ତର୍ଗତ ଲାଠୋର ଥାନା ସାନଗୁର୍ଜିଭଟା ଗ୍ରାମରେ । ଶିଶୁ ସୁରକ୍ଷା ଅଧିକାରୀଙ୍କ ତଦନ୍ତ ପରେ ଛୁଆକୁ ଫେରାଇ ଆଣିବାକୁ କହିଛି ମାଆ ।
ଗତ ନଭେମ୍ବର ୨ ତାରିଖରେ ସୁନାମୁଦି ଉପ ସ୍ଵାସ୍ଥ୍ୟକେନ୍ଦ୍ରରେ କରୁଆଁଝର ପଞ୍ଚାୟତର ସାନ ଗୁର୍ଜିଭଟା ଗାଁର ଅରୁଣାବତୀ ନାଗ ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଶିଶୁ କନ୍ୟାକୁ ନେଇ ସେ ଡାକ୍ତରଖାନାରୁ ଘରକୁ ଆସିଥିଲେ । ଏହା ପରେ ଗାଁର ଆଶାକର୍ମୀ ମା ଓ ଶିଶୁର ଅବସ୍ଥା ନିରୀକ୍ଷଣ ପାଇଁ ଅରୁଣାଙ୍କ ଘରକୁ ଯାଇଥିବାବେଳେ ଶିଶୁ କନ୍ୟାକୁ ପାଇ ନ ଥିଲେ । ଶିଶୁ ବିଷୟରେ ସନ୍ତୋଷ ଜନକ ଉତ୍ତର ତାଙ୍କ ପରିବାର ନିକଟରୁ ପାଇନଥିଲେ ଆଶାକର୍ମୀ । ତେବେ ଶିଶୁ କନ୍ୟାକୁ ଅନ୍ୟ କାହା ହାତରେ ବିକ୍ରି କରିଦେଇଥିବା ସନ୍ଦେହ କରି ଶୁଶିୁ ସୁରକ୍ଷା ଅଧିକାରୀ ଏବଂ ପୁଲିସକୁ ସୂଚନା ଦେଇଥିଲେ ।
ଲାଠୋର ପୋଲିସ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଆରମ୍ଭ କରିଛନ୍ତି ତଦନ୍ତ । ତେବେ ଶିଶୁ କନ୍ୟାକୁ ପାଳିବାକୁ ଅସମର୍ଥ ଥିବାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ହାତକୁ ଟେକିଦେଇଥିବା ନିଜେ ସ୍ୱୀକାର କରିଛନ୍ତି ଅରୁଣାବତୀ । ତେବେ ନବଜାତକୁ କାହା ହାତରେ ଦେଇଛି ତାହା ସେ ନ କହିଥିବାରୁ ଶିଶୁ ବିକ୍ରି କରାଯାଇଥିବା ସନ୍ଦେହ କରାଯାଉଛି । ତେବେ ତଦନ୍ତ ପାଇଁ ଆସିଥିବା ଅଧିକାରୀଙ୍କ ନିକଟରେ ଲିଖିତ ଭାବରେ କହିଛନ୍ତି ଯେ ସେ ଆପୋସ ବୁଝାମଣାରେ ନିଜ ଶିଶୁ କନ୍ୟାକୁ ଦେଇଛନ୍ତି । ତେବେ ଆଗାମୀ ତିନି ଦିନ ଭିତରେ ସେ ଦେଇଥିବା ଶିଶୁ କନ୍ୟାକୁ ପ୍ରଶାସନ ସାମ୍ନାକୁ ଆଣିବେ ବୋଲି କହିଛନ୍ତି ।