ଆଜି କାର୍ତ୍ତିକମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି। ଏହି ଦିନ ଶ୍ରୀମନ୍ଦିରରେ ଠାକୁରମାନଙ୍କର ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ। ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ। ଏଥିରେ ଶ୍ରୀଜଗନ୍ନାଥ ଓ ବଡ଼ଠାକୁରଙ୍କ ମସ୍ତକରେ ଚୂଳ ଲଗାଯାଏ। ଚୂଳରେ ସୁନାର କିଆ ଆଡ଼ବାଗରେ ଲଗା ଯାଇଥିବାରୁ, ଏହି ବେଶର ନାଁ ଏପରି ହୋଇଛି।
ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି।ଆଡ଼କିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ। ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ। ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ। ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ। ଏଥି ସହିତ ପୂର୍ବ ଦିନ ପରି ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାର ଓ ହଳ, ମୂଷଳ, ଶଙ୍ଖ, ଚକ୍ର ଏବଂ ପାଟ ବସ୍ତ୍ର ଇତ୍ୟାଦିରେ ଠାକୁରମାନଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ଭୂଷିତ କରାଯାଇଥାଏ।।
ସବୁ ଠାକୁରମାନଙ୍କର ମୂଖର ଉପର ପାର୍ଶ୍ବରେ ୨ଟି ଲେଖାଏଁ କାଡ଼କାନି ଲଗାଯାଇଥାଏ । ଏହି ବେଶରେ ଘାଗଡା ମାଳି, ବରକୋଳି ମାଳି, ପଦ୍ମମାଳି, ଗିନିମାଳି, ପଦକ ମାଳି ପିନ୍ଧାଯାଏ । ଏହା ବ୍ୟତୀତ ମହାପ୍ରଭୁଙ୍କ ଅନ୍ୟାନ୍ୟ ଅଳଙ୍କାର , ମାଳି, ଶ୍ରୀପୟର, ଶ୍ରୀହସ୍ତ ଏବଂ ଆୟୁଧ ମଧ୍ୟ ଲାଗି କରାଯାଏ । ଜଗନ୍ନାଥ, ବଳଭଦ୍ରଙ୍କୁ ଲୁଗାକଛା ମାରି ପିନ୍ଧାଇ ଦିଆଯାଏ । କଥିତ ଅଛି ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ । ପଞ୍ଚସଖାବାଦୀ ତଥା ଅତିବଡୀ ସମ୍ପ୍ରଦାୟର ବହୁ ସଂଖ୍ୟକ ଶିଷ୍ୟ-ଭକ୍ତ ତଥା ମହନ୍ତମାନେ ଏହି ମନୋରମ ବେଶ ଦର୍ଶନକରି ନିଜକୁ ସୌଭାଗ୍ୟ ମଣିଥାନ୍ତି ।
ଆଡ଼କିଆ ବା ଠିଆକିଆ ବେଶ ମଧ୍ୟରେ ପ୍ରଭେଦ ହେଉଛି, ଠିଆକିଆ ବେଶରେ ସୁନାକିଆ ଲମ୍ବ ଭାବରେ ଖୋସା ନଯାଇ ଆଡ଼ବାଗରେ ଖୋସାଯାଏ ଏବଂ ଡାଳିକିଆ ବେଶରେ ସୋଲର ଡାଳପତ୍ରରେ ସୁନାର କିଆପତ୍ର ଖଞ୍ଜାଯାଏ । ଏହି ସୁନାକିଆଗୁଡ଼ିକ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମସ୍ତକରେ ପିନ୍ଧାଯାଇଥିବା ସୋଲ, କନା, ବେତ , ଜମ୍ବୁରା, କଇଁଥ ଅଠାରେ ନିର୍ମିତ ଚୂଳରେ ଖୋସାଯାଏ । ଚୂଳର ଶେଷରେ ଲଗାଯାଏ ସୁନାର ଚନ୍ଦ୍ରିକା । କୁହାଯାଏ ଏହା ମହାପ୍ରଭୁଙ୍କର ଏକ ଅନ୍ୟତମ ଦୁର୍ଲଭ ବେଶ । ଯେଉଁ ଭକ୍ତ ପଞ୍ଚୁକରେ ମହାପ୍ରଭୁଙ୍କ ତ୍ରିବିକ୍ରମ ବେଶ ଦର୍ଶନ କରେ ତାକୁ ଅନନ୍ତ ପୁଣ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।