ବଡ଼ଓଷା ପାଇଁ ଚଳଚଞ୍ଚଳ ହୋଇପଡିଛି ଆଠଗଡର ପ୍ରସିଦ୍ଧ ଧବଳେଶ୍ବର ପୀଠ। ବାବାଙ୍କ ଅତି ପ୍ରିୟ ପର୍ବ ବଡ଼ଓଷା ହୋଇଥିବାବେଳେ ଏହି ଓଷାର ମୁଖ୍ୟ ଆକର୍ଷଣ ହେଉଛି ଗଜଭୋଗ ଓ ତରଣ I ଗତକାଲି ରାତିରେ ହରିହର ଭେଟ ପରେ ମଧ୍ଯ ରାତ୍ରିର ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଛି ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ ।
ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇଁ ବ୍ରତ ଉଦ୍ ଯାପନ କରିଥାନ୍ତି। ସେଥିପାଇଁ ରାତି ଦୁଇଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ , ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇଥିଲା । ଏହାପରେ ଆଜି ଶ୍ରଦ୍ଧାଳୁମାନେ ବାବାଙ୍କୁ ହରିହର ବେଶରେ ଦର୍ଶନ କରୁଛନ୍ତି । ସେପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ପୁଲିସ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ସକାଳୁ ବ୍ୟାରିକେଡରେ ଯାଇ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରୁଥିବା ଦେଖିବାକୁ ମିଳିଛି।