ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ରାହାସୋଇ ପଞ୍ଚାୟତର ସୂଚନା ଅଧିକାର କର୍ମୀ ଅଶୋକ ପତି ଓ ତାଙ୍କ ପତ୍ନୀ ଲଳିତା ଏବଂ ମାଆ ଅନ୍ନପୂର୍ଣ୍ଣା ପତିଙ୍କୁ ରାହାସୋଇ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସମର୍ଥକମାନେ ମରଣାନ୍ତକ ଆକ୍ରମଣ କରିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହି ଘଟଣାରେ ଶୁକ୍ରବାର ଠାରୁ ଥାନାରେ ଅଟକ ଥିବା ଅଭିଯୁକ୍ତ ଦିପ୍ତିରଂଜନ ଓରଫ୍ ବାବୁ ପାଣିଗ୍ରାହୀଙ୍କ ସମେତ ଗାଁରୁ ପୁଲିସ୍ ହାବୁଡ଼ରେ ପଡ଼ି ଧରା ପଡ଼ିଥିବା ପୁଟୁଳି ସେଠୀଙ୍କୁ ଶନିବାର ପୁଲିସ୍ କୋର୍ଟ ଚାଲାଣ କରିଛି।
ସେହିପରି ସୂଚନା କର୍ମୀ ଅଶୋକଙ୍କ ମାଆ ଅନ୍ନପୂର୍ଣ୍ଣା ପତିଙ୍କ ଆଉ ଏକ ଲିଖିତ ଅଭିଯୋଗ ଆଧାରରେ ପୁଲିସ୍ ରାହାସୋଇ ପଞ୍ଚାୟତର ସରପଞ୍ଚ ଙ୍କ ସ୍ୱାମୀ ଶିବପ୍ରସାଦ ଓରଫ୍ ଟୁଲୁ ରଥଙ୍କ ସମେତ ପଞ୍ଚାୟତର କୁଟୁରି ସେଠୀ, ସୁକୁରିଆ ମଲ୍ଲିକ ଓ ଟୁଲୁଆ ମଲ୍ଲିକଙ୍କ ନାମରେ ମାମଲା ରୁଜୁକରି ସେମାନଙ୍କୁ ଗିରଫ୍ କରିବା ପାଇଁ ଦୁଇଟି ସ୍ୱତନ୍ତ୍ର ଟିମ୍ ଦ୍ୱାରା ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରଖିଛି । ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏହି ଘଟଣାକୁ ପୁଲିସ୍ ପ୍ରଶାସନ ଗୁରୁତ୍ୱ ପ୍ରଦାନ କରିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟସ୍ ପ୍ରତାପ ଶ୍ରୀମଲଙ୍କ ନିର୍ଦ୍ଦେଶରେ ଜିଲ୍ଲା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଲେଙ୍କା ମାମଲାର ତଦନ୍ତଭାର ନିଜ ହାତକୁ ନେଇଛନ୍ତି ଦଶରଥପୁର ଥାନା ପୁଲିସ୍ ଏହି ମାମଲାକୁ ନେଇ ୪ଟି କେସ୍ ରୁଜୁ କରିଛି।
ଶ୍ରୀ ଲେଙ୍କା ଦଶରଥପୁର ଥାନାରେ ପହଞ୍ଚି ସୂଚନା କର୍ମୀ ଓ ତାଙ୍କ ପତ୍ନୀ ଏବଂ ମାଆ ଙ୍କ ସହ ସବିଶେଷ ଆଲୋଚନା କରିବା ପରେ ରାହାସୋଇ ଗ୍ରାମରେ ପହଞ୍ଚି ସରପଞ୍ଚଙ୍କ ସ୍ୱାମୀ ଟୁଲୁ ରଥ ଓ ଅନ୍ୟ ଅଭିଯୁକ୍ତଙ୍କୁ ଗରିଫ୍ କରିବାକୁ ଯାଇଥିଲେ ହେଁ ଟୁଲୁ ରଥ ଓ ଅନ୍ୟମାନେ ଫେରାର ଥିବାରୁ ପୁଲିସ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା । ତେବେ କେବଳ ଟୁଲୁ ରଥ ନୁହନ୍ତି ଏହି ଘଟଣାରେ ୧୦ ରୁ ଅଧିକ ବ୍ୟକ୍ତି ପୁଲିସ୍ ସ୍କାନରରେ ରହିଛନ୍ତି ଏବଂ ସେମାନେ ଯେଉଁଠି ଥିଲେ ମଧ୍ୟ ସମସ୍ତ ଅଭିଯୁକ୍ତଙ୍କୁ ଦିନେ ଦୁଇ ଦିନ ମଧ୍ୟରେ ନିଶ୍ଚିତ ଗିରଫ୍ କରାଯିବ ବୋଲି ଶ୍ରୀ ଲେଙ୍କା କହିଛନ୍ତି ।
ଏହି ଘଟଣାରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଓ କର୍ମକର୍ତ୍ତା ସର୍ବେଶ୍ୱର ବେହୁରାଙ୍କ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ଦଶରଥପୁର ଥାନାରେ ପହଞ୍ଚି ସୂଚନା କର୍ମୀ ଅଶୋକ ପତି ଓ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ । ରାଜ୍ୟ କର୍ମକର୍ତ୍ତା ଏହି ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ଦଣ୍ଡିତ ନହେବା ପର୍ଯ୍ୟନ୍ତ ତାଙ୍କ ପରିବାର ସହିତ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେବା ସହିତ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଲେଙ୍କାଙ୍କୁ ଭେଟି ମୁଖ୍ୟ ଅଭିଯୁକ୍ତ ସରପଞ୍ଚଙ୍କ ସ୍ୱାମୀ ଓ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ୍ କରିବାକୁ ଦାବି କରିଥିଲେ |
ସେହିପରି ଜିଲ୍ଲା ବିଜେପି ପକ୍ଷରୁ ସଭାନେତ୍ରୀ ବବିତା ମଲ୍ଲିକା ଶନିବାର ରାହାସୋଇ ଗ୍ରାମରେ ପହଞ୍ଚି ଦଳୀୟ ସମର୍ଥକମାନଙ୍କୁ ଏହି ଘଟଣାରେ ଭୟଭିତ ନହେବାକୁ ପରାମର୍ଶ ଦେବା ସହିତ ଆକ୍ରମଣ ଘଟଣାରେ ମାଷ୍ଟର ମାଇଣ୍ଡ୍ ସରପଞ୍ଚଙ୍କ ସ୍ୱାମୀ ଟୁଲୁ ରଥ ଏବଂ ଅନ୍ୟ ଅଭିଯୁକ୍ତମାନେ ଦଣ୍ଡିତ ନହେବା ପର୍ଯ୍ୟନ୍ତ ବିଜେପି ଚୁପ୍ ରହିବ ନାହିଁ ବୋଲି ଭରସା ଦେଇଥିଲେ।