ରାଞ୍ଚି/ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ବୁଧବାର ଦିନ ପୂର୍ବାହ୍ଣରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଜାରି ଥିବା ମତଦାନରେ ସକ୍ରିୟ ଅଂଶଗ୍ରହଣ କରିଛନ୍ତି। ରାଜ୍ୟପାଳ ଶ୍ରୀ ଦାସ ମତଦାନ କରିଛନ୍ତି। ସେ ଜାମସେଦପୁର (ପୂର୍ବ)ର ଏକ ପୋଲିଂ ବୁଥରେ ଭୋଟ୍ ଦେଇଛନ୍ତି। ତାଙ୍କ ସହିତ ତାଙ୍କର ପତ୍ନୀ, ପୁଅ ଲଳିତ ଦାସ ଓ ବୋହୂ ପୂର୍ଣ୍ଣିମା ଦାସ ମଧ୍ୟ ମତଦାନ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଚମ୍ପାଇ ସୋରେନ, ବନ୍ନା ଗୁପ୍ତା, ସରୟୁ ରାୟ, ଚମ୍ପାଇ ସୋରେନଙ୍କ ପୁଅ ବାବୁଲାଲ ସୋରେନ, ରାମଦାସ ସୋରେନ, ପୂର୍ଣ୍ଣିମା ଦାସ, ଡାକ୍ତର ଅଜୟ କୁମାର ଓ ମଙ୍ଗଳ କାଳିନ୍ଦୀଙ୍କ ଭଳି ବରିଷ୍ଠ ନେତା ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହୋଇଛନ୍ତି।
ସରାଇକେଲା-ଖାରସାଓ୍ଵାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଅର୍ଜୁନ ମୁଣ୍ଡା କହନ୍ତି, "ମୁଁ ରାଜ୍ୟକୁ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ନେବା ପାଇଁ ଭୋଟ୍ ଦେଇଛି, ମୁଁ ଆଶା କରୁଛି ଯେ ଖାରସାଓ୍ଵାନର ଲୋକମାନେ ମଧ୍ୟ ସମାନ ଢଙ୍ଗରେ ଭୋଟ୍ ଦେବେ। ଆମ ପ୍ରାର୍ଥୀ ଜିତିବେ ବୋଲି ମୋର ଦୃଢ଼ ବିଶ୍ୱାସ ରହିଛି।
ଝାଡ଼ଖଣ୍ଡର ଜାମସେଦପୁର ପୂର୍ବ ଆସନରୁ କଂଗ୍ରେସ ପ୍ରାର୍ଥୀ ଡକ୍ଟର ଅଜୟ କୁମାର କହିଛନ୍ତି, ଜାମସେଦପୁରବାସୀଙ୍କ ଠାରୁ ମୋତେ ବହୁତ ଭଲ ପାଇବା ମିଳିଛି। ସବୁଆଡ଼େ ଖୁସି ଖବର ଆସୁଛି। ଦୀର୍ଘ ୩୦ ବର୍ଷ ଧରି ଏଠାକାର ଶ୍ରମିକମାନେ ଆମକୁ ଉତ୍ସାହିତ କରିଛନ୍ତି। ଏଠାରେ ଏକ ପାରିବାରିକ ସାମ୍ରାଜ୍ୟ ଅଛି, ଯାହା ବିରୋଧରେ ଆମେ ଲଢ଼େଇ କରୁଛୁ ଏବଂ ସେମାନେ ଲଢ଼େଇ ଜାରି ରଖିବେ।
ସୂଚନାଯୋଗ୍ୟ, ଆଜି ୪୩ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଏହା ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ। ଦ୍ବିତୀୟ ପର୍ଯ୍ୟାୟରେ ନଭେମ୍ବର ୨୦ତାରିଖରେ ୩୮ଟି ଆସନ ପାଇଁ ମତଦାନ ହେବ। ନଭେମ୍ବର ୨୩ରେ ମହାରାଷ୍ଟ୍ର ସହ ଫଳାଫଳ ପ୍ରକାଶ ପାଇବ।
ଅଧିକ ପଢ଼ନ୍ତୁ: ପ୍ରଥମ ପର୍ଯ୍ୟାୟ ମତଦାନ ଜାରି; ସକାଳ ୯ଟା ସୁଦ୍ଧା ୧୩.୦୪ ପ୍ରତିଶତ ମତଦାନ