କଟକ : କଟକ ଖାନନଗର ବ୍ରିଜ ନିର୍ମାଣ ବେଳେ ଅଘଟଣ ଘଟି ୩ ଜଣଙ୍କ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ ହୋଇଛି । ଗତକାଲି ଦୁର୍ଘଟଣା ଘଟିଥିବା ଘଟଣାସ୍ଥଳରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ଉପଜିଲ୍ଲାପାଳ, ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଶ୍ରମ ଅଧିକାରୀଙ୍କ ଯାଞ୍ଚ ଆରମ୍ଭ ହୋଇଛି । କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଥିଲା ପ୍ରଶାସନ ଅନୁଧ୍ୟାନ କରୁଛନ୍ତି ।
ସୂଚନାଯୋଗ୍ୟ ଶନିବାର ରାତିରେ କଟକ ଖାନ୍ନଗରଠାରେ ବ୍ରିଜ୍ ନିର୍ମାଣ ସମୟରେ ଭୁଶୁଡ଼ି ପଡ଼ିବା ଯୋଗୁ ୩ ଜଣଙ୍କ ଜୀବନ ଯିବା ସହ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଅଘଟଣ ବିଷୟରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଆହତଙ୍କ ପାଇଁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇଦେବା ସାଙ୍ଗକୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଟିରୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି। କାହିଁକି ଏବଂ କେଉଁ ପରିସ୍ଥିତିରେ ଘଟଣା ଘଟିଲା, ତଦନ୍ତ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।