ସତ୍ୟବାଦୀର କତାଶିଳ୍ପ କାରିଗର ଡଲି ଦାସଙ୍କ ଦ୍ୱାରା ନିର୍ମିତ ଏକ ତାଳଗଛ ବିଶିଷ୍ଟ ଶିଳ୍ପପତି ନୀତା ଅମ୍ବାନୀଙ୍କ ଘରେ ବ୍ୟବହାର ହେବାକୁ ଯାଉଛି। କତାରେ ପ୍ରସ୍ତୁତ ତାଳଗଛ ନୀତା ଅମ୍ବାନୀଙ୍କୁ ଖୁବ ପସନ୍ଦ ଆସିଥିଲା। ଏହାପରେ ସେ ଅନ୍ଲାଇନ୍ ମାଧ୍ୟମରେ ଡଲି ଦାସଙ୍କ ଝିଅ ସୁଶ୍ରୀ ଦାସଙ୍କୁ ଏକ ତାଳଗଛ ଦେବା ନିମନ୍ତେ ବରାଦ ଦେଇଥିଲେ। ଯାହା ପରେ ସୁଶ୍ରୀ ଦାସଙ୍କ ମନରେ ଅସରନ୍ତି ଖୁସି ଛାଇ ଯାଇଥିଲା।
ସୂଚନା ଅନୁସାରେ, ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମର କତାଶିଳ୍ପ କାରିଗର ଡଲି ଦାସଙ୍କ ଅନୁଷ୍ଠାନ ବିଭିନ୍ନ ହସ୍ତଶିଳ୍ପ ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥା’ନ୍ତି। ୨୦୨୩ ଡିସେମ୍ବର ମାସରେ ଭୁବନେଶ୍ୱରରେ ଅନୁଷ୍ଠିତ ତୋଷାଳୀ ମେଳାରେ ସେ ଯୋଗ ଦେଇଥିଲେ। ଏହି ମେଳାରେ ସୁଶ୍ରୀ ଦାସଙ୍କ ବିଭିନ୍ନ କଳାକୃତି ନୀତା ଅମ୍ବାନୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଏହାପରେ ନୀତା ଅମ୍ବାନୀ ଅନ୍ଲାଇନ୍ ମାଧ୍ୟମରେ ସୁଶ୍ରୀ ଦାସଙ୍କୁ ଏକ ତାଳଗଛ ଦେବା ନିମନ୍ତେ ବରାଦ ଦେଇଥିଲେ। ତେଣୁ ବରାଦ ଆସିବା ପରେ ସୁଶ୍ରୀ କତା ପାରୁ ଓ ଅଠା, ସୂତା ଦ୍ୱାରା ଏହି ତାଳ ଗଛ ତିଆରି କରିଛନ୍ତି। ଏଥିରେ ଆଉ ଅଳ୍ପ କାମ କରିବା ବାକି ଥିବାରୁ ସେହି କାମରେ ଲାଗିପଡିଛନ୍ତି ସୁଶ୍ରୀ। ଏହା ସମ୍ପୂର୍ଣ ପୁରା ହେବା ପରେ ସେ ସେହି କତାରେ ତିଆରି ତାଳଗଛ ନିତା ଅମ୍ବାନୀଙ୍କୁ ପଠାଇବେ।