ଭୁବନେଶ୍ୱର: ଆଜି ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର ଚଢ଼ଉ କରିଛି । କଟକ ସର୍କଲ ଖଣି ଉପ-ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘର ଏବଂ କାର୍ୟ୍ୟାଳୟରେ ଚଢ଼ାଉ କରି ଭିଜିଲାନ୍ସ ଟିମ୍ ଟଙ୍କାର ପାହାଡ଼ ଠାବ କରିଛି । ଏବେ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ୪ କୋଟିରୁ ଅଧିକ ନଗଦ ଟଙ୍କା ମିଳିସାରିଛି ଏବଂ ଗଣତି ଏବେ ମଧ୍ୟ ଜାରି ରହିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଭୁବନେଶ୍ୱର, କଟକ ଏବଂ ଭଦ୍ରକର ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଟ୍ରଲି ବ୍ୟାଗ୍ ଏବଂ ଆଲମିରା ଭିତରେ ଲୁଚାଇ ରଖାଯାଇଥିବା ୪ କୋଟିରୁ ଅଧିକ ଟଙ୍କା ମିଳିଛି । ତାଙ୍କ ଅଫିସ୍ ଡ୍ରୟରରୁ ମଧ୍ୟ ୧କୋଟି ୨୦ ଲକ୍ଷ ଟଙ୍କା ମିଳିଛି ।
ତେବେ ରାଜ୍ୟରେ ଏଭଳି ସରକାରୀ ଅଧିକାରୀଙ୍କ ଘରୁ ଟଙ୍କାର ଭଣ୍ଡାର ମିଳିବା କିଛି ନୂଆ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏମିତି ଅନେକ ଅଧିକାରୀଙ୍କ ଘରୁ ମିଳିଛି କୋଟି କୋଟି ନଗଦ ଟଙ୍କା । ଯାହାକୁ ଦେଖିବା ପରେ ଭିଜିଲାନ୍ସ ଅଧିକାରୀଙ୍କ ଆଖି ଟେରା ମାରି ନେଇଛି । ଏପରି ୧୦ ଜଣ ଅଧିକାରୀଙ୍କ ତାଲିକା ରହିଛି ।
-
୪ ଏପ୍ରିଲ ୨୦୨୨ରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ସହକାରୀ ଯନ୍ତ୍ରୀ କାର୍ତ୍ତିକଶ୍ୱର ରାଉଳଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଥିଲା । ଆଉ ତାଙ୍କ ବାସଭବନରୁ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ନଗଦ ଟଙ୍କା ମିଳିଥିଲା ।
-
୨୨ ଓ ୨୩ ଜୁନ ୨୦୨୩ରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ ପଶିଥିଲା ଭିଜିଲାନ୍ସ । ସେଠାରେ ମଧ୍ୟ ଟଙ୍କାର ଖଣି ଦେଖି ଭିଜିଲାନ୍ସ ଅଧିକାରୀ ଟେରା ପାଲଟିଯାଇଥିଲେ। ତତ୍କାଳୀନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ୩ କୋଟି ୧୨ ଲକ୍ଷ ୩୦ ହଜାର ୮୦୦ ଟଙ୍କା ନଦଗ ଜବତ କରାଯାଇଥିଲା ।
-
୩୦ ମେ ୨୦୨୫ରେ ଗ୍ରାମ୍ୟ ନିର୍ମାଣ ବିଭାଗ ରାସ୍ତା ସଂଯୋଜନାର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ସରଙ୍ଗୀଙ୍କ ବାସଭବନରୁ ଭିଜିଲାନ୍ସକୁ ୨ କୋଟି ୫୬ ଲକ୍ଷ ଟଙ୍କା ମିଳିଥିଲା ।
-
୬ ଫେବ୍ରୁଆରୀ ୨୦୨୫ରେ ମାଲକାନଗିରି ଜଳଛାୟା ବିଭାଗ ଅଧିକାରୀ ସାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରି ୨ କୋଟି ୮ ଟଙ୍କା ନଗଦ ଜବତ କରିଥିଲା ।
-
୩ ମାର୍ଚ୍ଚ ୨୦୨୩ ରେ ଭୁବନେଶ୍ୱର ଖଣି ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଉମେଶ ଚନ୍ଦ୍ର ଜେନାଙ୍କ ବିରୋଧରେ ତଲାସୀ ଅଭିଯାନ ଚାଲିଥିବାବେଳେ ଭିଜିଲାନ୍ସ ୧ କୋଟି ୬୪ ଲକ୍ଷ ଟଙ୍କା ଜବତ କରିଥିଲା ।
-
୨୫ ଜୁଲାଇ ୨୦୨୫ ରେ କୋରାପୁଟର ଜୟପୁର ବନାଞ୍ଚଳର ଡେପୁଟି ରେଞ୍ଜର ରାମ ଚନ୍ଦ୍ର ନେପାକଙ୍କ ବିରୋଧରେ ଘର ତଲାସୀ ସମୟରେ ୧ କୋଟି ୪୩ ଲକ୍ଷ କୋଟି ଟଙ୍କା ଜବତ ହୋଇଥିଲା ।
-
୨୫ ମାର୍ଚ୍ଚ ୨୦୨୨ରେ ମାଲକାନଗିରିର ଆରଡବ୍ଲୁ ଡିଭିଜନର ବରିଷ୍ଠ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ବିରୋଧରେ ଭିଜିଲାନ୍ସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସମୟରେ ୧ କୋଟି ୪୦ ଲକ୍ଷ ୧୮ ହଜାର ୭୦ ଟଙ୍କା ମିଳିଥିଲା ।
-
୧୬ ଫେବ୍ରୁଆରୀ ୨୦୨୨ରେ ଚାରିଛକ ସିଏଚସିର ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁକାନ୍ତ ଜେନାଙ୍କ ଘର ତଲାସୀ ସମୟରେ ୧ କୋଟି ୧୩ ଲକ୍ଷ ୧୬ ହଜାର ୭୨୦ ଟଙ୍କା ଜବତ କରାଯାଇଛି ।
-
୨୦ ଏବଂ ୨୧ ତାରିଖ ଡିସେମ୍ବର ୨୦୨୨ ରେ ଇଡକଲ୍ ଯୁଗ୍ମ ପରିଚାଳକ ଗୟା ସାନ୍ତାରାଙ୍କ ଘରେ ଚଢ଼ଉ ସମୟରେ ଭିଜିଲାନ୍ସ ହାତରେ ନଗଦ ୧ କୋଟି ୬ ଲକ୍ଷ,୪୪ ହଜାର ୫୦୦ ଟଙ୍କା ଲାଗିଥିଲା ।
-
ଶେଷରେ ୨୪ ଫେବ୍ରୁଆରୀ ୨୦୧୬ ରେ ଭିଜିଲାନ୍ସ ଦ୍ୱାରା ହୋଇଥିବା ଆଉ ଏକ କାର୍ୟ୍ୟାନୁଷ୍ଠାନରେ କଟକ ଜିଲ୍ଲା ଆଠଗଡ଼ର ପୂର୍ବତନ ବନଖଣ୍ଡ ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ଘରୁ ୧ କୋଟି ୧ ଲକ୍ଷ ୭୦ ହଜାର ନଗଦ ଟଙ୍କା ଜବତ କରାଯାଇଥିଲା ।