ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେଉଛି । ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସକିଲ ହୋଇପଡୁଛି । ରାଜ୍ୟରେ ତାପାମାତ୍ରା ୪୦ ଡିଗ୍ରୀ ପାର ହୋଇଗଲାଣି । ଅସହ୍ୟ ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଆସନ୍ତା ଦୁଇ ଦିନରେ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯିବ ବୋଲି ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ଧାର୍ଯ୍ୟ ସମୟ ପୂର୍ବରୁ ଖରା ଛୁଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି । ମେ ୬ରେ ଖରା ଛୁଟି ଦିଆଯିବା ପାଇଁ ଘୋଷଣା କରାଯାଇଥିଲା । କିନ୍ତୁ ଖରା ପାଇଁ ଦୁଇ ଦିନରେ ସ୍କୁଲ ବନ୍ଦ ପାଇଁ ନିଷ୍ପତ୍ତି ନିଆଯିବ ।
ପୂର୍ବରୁ ସ୍କୁଲ ବନ୍ଦ ପାଇଁ ମନ୍ତ୍ରୀ ସୁରେଶ ପୂଜାର କହିଥିଲେ," ଗ୍ରୀଷ୍ମ ପ୍ରବାହକୁ ନେଇ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ସମୀକ୍ଷା କରାଯିବ । ସମୀକ୍ଷା ପରେ ନିର୍ଦ୍ଦେଶାବଳୀ ଦିଆଯିବ । ତେବେ ଖରା ଛୁଟିକୁ ନେଇ ଜିଲ୍ଲାପାଳଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ମନ୍ତ୍ରୀ । ଜିଲ୍ଲାପାଳମାନେ ଏସଓପି ବାହାର କରି ନିଷ୍ପତ୍ତି ନେଇ ପାରିବେ"।
ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୪୨ ଡିଗ୍ରୀ ଝାରସୁଗୁଡ଼ା ତାପମାତ୍ରା ଟପିଛି । ଝାରସୁଗୁଡ଼ା ତାପମାତ୍ରା ୪୨.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସବୁଠୁ ଉତପ୍ତ ସହର ପାଲଟିଛି । ପଶ୍ଚିମ ଓଡ଼ିଶାରେ ତାତି ଓ ଉପକୂଳ ଓଡ଼ିଶାରେ ତାତି ରାଜ୍ୟବାସୀଙ୍କୁ କଲବଲ କରୁଛି।