ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜଣେ ନାବାଳକକୁ ଅପହରଣ କରାଯାଇଛି । ତେବେ ତ୍ୱରିତ ପଦକ୍ଷେପ ସ୍ୱରୁପ କମିଶନରେଟ୍ ପୋଲିସ ସଫଳତାର ସହିତ ନାବାଳକକୁ ସୁରକ୍ଷିତଭାବେ ଉଦ୍ଧାର କରିଛି । ଟଙ୍କା ପାଇଁ ଅପହରଣ କରାଯାଇଥିବା ଜଣାପଡ଼ିଛି ।
ରାମ ମନ୍ଦିର ନିକଟରୁ ପିଲା ଚୋରି ଓ ପୁରୀ ଡେଲାଙ୍ଗରୁ ଶିଶୁ ପୁତ୍ର ଅପହରଣ ଏବଂ ହତ୍ୟା ଘଟଣା ମନରୁ ନ ଲିଭି ଥିବାବେଳେ ଏବେ ଭୁବନେଶ୍ୱରରୁ ଆଉ ଏକ ନାବାଳକ ଅପହରଣ ଖବର ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏୟାରଫିଲ୍ଡ ଥାନା ଅଞ୍ଚଳ ପାଞ୍ଚ ଗାଁରୁ ଦିନ ଦ୍ୱିପ୍ରହରରେ ଜଣେ ନାବାଳକକୁ ଅପହରଣ କରାଯାଇଥିବା ଜଣାପଡ଼ିଛି । ୧୩ ବର୍ଷୀୟ ନାବାଳକ ସ୍କୁଲରୁ ଫେରୁଥିବାବେଳେ ଅପହରଣ ହୋଇଛି । ଏକ କାରରେ କିଛି ଦୁର୍ବୃତ୍ତ ତାକୁ ନେଇ ଯାଇଥିବା ଲୋକେ କହିଛନ୍ତି । ପ୍ରଥମେ ଅପହରଣକାରୀ ଫୋନ୍ କରି ୫ କୋଟି ଟଙ୍କା ମାଗିଥିଲେ । ଏହା ପରେ ୨୦ ଲକ୍ଷ ଟଙ୍କା ମାଗିଥିଲେ ।
ଏ ନେଇ ଏୟାରଫିଲ୍ଡ ଥାନାକୁ ଖବର ଦିଆଯିବା ପରେ ତତ୍ପରତା ପ୍ରକାଶ ପାଇଥିଲା । ପୋଲିସ ସ୍ୱତନ୍ତ୍ର ଟିମ ସାହାଯ୍ୟରେ ଆକ୍ସନ ମୁଡକୁ ଆସିଥିଲା । ଶେଷରେ ନାବାଳକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଏହା ପଛରେ କିଛି ଗାଁ ଲୋକଙ୍କ ସମ୍ପୃକ୍ତି ଥିବା ଗ୍ରାମବାସୀ ସନ୍ଦେହ କରିଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ କିଛି ଦିନ ତଳୁ ରାମ ମନ୍ଦିର ସମ୍ମୁଖରୁ ଏକ ଦୃଷ୍ଟି ବାଧିତ ମାଆ କୋଳରୁ ଏକ ଶିଶୁ ପୁତ୍ରକୁ ଅପହରଣ କରାଯାଇଥିଲା । ଉକ୍ତ ଶିଶୁକୁ ପୋଲିସ ବାଲେଶ୍ୱରରୁ ସୁରକ୍ଷିତଭାବେ ଉଦ୍ଧାର କରିଥିଲା । କିନ୍ତୁ ପୁରୀ ଡେଲାଙ୍ଗରୁ ଆସିଥିଲା ଛାତି ଥରା କାହାଣୀ । ଗୋଟିଏ ନାବାଳକକୁ ଅପହରଣ ପରେ ହତ୍ୟା କରାଯାଇଥିଲା । ପାଇଖାନା ଟାଙ୍କିରୁ ଶିଶୁକୁ ଉଦ୍ଧାର କରାଯାଇଥିଲା ।