ଭୁବନେଶ୍ୱର: ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହୁଛି । ସକାଳ 8ଟା ପରେ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି । ପ୍ରତ୍ୟେକ ଦିନ ତାପାମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରୁଛି । ଏହାକୁ ଦେଖି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଧାର୍ଯ୍ୟ ସମୟ ପୂର୍ବରୁ ଖରା ଛୁଟି କରିବାକୁ ଆଲୋଚନା କରାଯାଉଥିବାବେଳେ ସେପଟେ ବିଦ୍ୟୁତ କାଟ ନ କରିବାକୁ କଡ଼ା ତାଗିଦ କରିଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାର କହିଛନ୍ତି, ଗ୍ରୀଷ୍ମ ପ୍ରବାହକୁ ନେଇ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ସମୀକ୍ଷା କରାଯିବ । ସମୀକ୍ଷା ପରେ ନିର୍ଦ୍ଦେଶାବଳୀ ଦିଆଯିବ । ତେବେ ଖରା ଛୁଟିକୁ ନେଇ ଜିଲ୍ଲାପାଳଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ମନ୍ତ୍ରୀ । ଜିଲ୍ଲାପାଳମାନେ ଏସଓପି ବାହାରି ନିଷ୍ପତ୍ତି ନେଇ ପାରିବେ ବୋଲି କହିଛନ୍ତି ମନ୍ତ୍ରୀ ।
ସେହିପରି ଶକ୍ତି ବିଭାଗରେ ଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବିଦ୍ୟୁତ କାଟ୍ ନ କରିବାକୁ କଡ଼ା ତାଗିଦ କରିଛନ୍ତି । ଗ୍ରୀଷ୍ମ ପ୍ରବାହରେ ବିଦ୍ୟୁତ କାଟ୍ କରାଯିବ ନାହିଁ । ଏପରିକି ଯେଉଁମାନେ ବିଜୁଳି ବିଲ୍ ପୈଠ କରି ନାହାଁନ୍ତି ସେମାନଙ୍କର ବି ବିଦ୍ୟୁତ କାଟ କରାଯିବ ନାହିଁ । ଯଦି କାଳବୈଶାଖୀ ପ୍ରଭାବରେ କେଉଁଠି ବିଦ୍ୟୁତ ସରବରାହ ବ୍ୟାହାତ ହେଲେ ତୁରନ୍ତ ସମାଧାନ କରାଯିବ । ଖୁଣ୍ଟି ପଡ଼ିଗେଲେ ତୁରନ୍ତ ମରାମତି କରାଯିବ । ଚଳିବ ବର୍ଷ ସଠିକ୍ ଭାବରେ ବିଦ୍ୟୁତ ପରିଚାଳନା କରାଯାଉଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆଜି ପୂର୍ବାହ୍ନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ପାରଦ ୪୨.୬ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି । ସେହିପରି ହୀରାକୁଦରେ ୪୦ ଡିଗ୍ରୀ, ସମ୍ବଲପୁରରେ ୩୯.୬ ଡିଗ୍ରୀ, ରାଉରକେଲାରେ ୩୯ ଡିଗ୍ରୀ, କେଉଁଝରରେ ୩୬.୮ ଡିଗ୍ରୀ, ଚାନ୍ଦବାଲିରେ ୩୬.୪ ଡିଗ୍ରୀ ଏବଂ ଭୁବନେଶ୍ୱରରେ ୩୫.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ଅସମ୍ଭାଳ ତାତିକୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି ।