ରାୟଗଡ଼ା: ଗୁଣି ଗାରେଡି ସନ୍ଦେହରେ ଠେଙ୍ଗା ଓ କାଠ ଫାଳିଆରେ ପିଟି ପିଟି ମାରିଦେଲେ । ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ହାଟପଦା ଗାଁରେ । ମୃତ ବ୍ୟକ୍ତି ଜଣକ ହେଲେ ଭୈରବ ସାହୁ। ଏହି ମାମଲାରେ ପୋଲିସ ୩୦ ଜଣଙ୍କୁ ଅଟକ ରଖିଛି ।
ହାଟପଦା ଗାଁରେ ଗତ ଦୁଇ ଦିନ ତଳେ ଜଣେ ବ୍ୟକ୍ତିଙ୍କର କୌଣସି କାରଣ ବଶତଃ ମୃତ୍ୟୁ ହୋଇଥିଲା । ଏ ନେଇ ଗ୍ରାମବାସୀ ଭୈରବ ସାହୁଙ୍କୁ ସନ୍ଦେହ କରିଥିଲେ । ଭୈରବ ଗୁଣି ଗାରେଡ଼ି କରିଥିବା ସାହି ଲୋକେ କହିଥିଲେ । ଏହା ପରେ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ସାହି ଭିତରେ ରହୁଥିବା ଭୈରବଙ୍କୁ ଘର ଭିତରୁ ଟାଣି ଆଣି କଙ୍ଗାରୁ କୋର୍ଟରେ ହାଜର କରିଥିଲେ । ପରେ ଆରମ୍ଭ ହୋଇଥିଲା ମାଡ । ଆଗରୁ ପ୍ରସ୍ତୁତ କରି ରଖିଥିବା ଠେଙ୍ଗା ଓ କାଠ ଫାଳିଆରେ ନିର୍ମମ ରୂପେ ମାଡ ମାରି ଚାଲିଥିଲେ ସାହି ବାସିନ୍ଦା । ଜୀବନ ବିକଳରେ ଭୈରବ ସାହିର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଧାଇଁ ବୁଲୁଥିଲେ । ଆଉ ଲୋକେ ଦୀର୍ଘ ସମୟ ଧରି ଗୋଡେଇ ଗୋଡେଇ ମାଡ ମାରି ଚାଲିଥିଲେ । ଖବର ସେଠାରେ ପହଁଚିଥିବା ପୋଲିସକୁ ମଧ୍ୟ ସଙ୍ଘ ବଦ୍ଧ ଆକ୍ରମଣ କରିଥିଲେ । ତେବେ କିଛି ସମୟ ପରେ ସାହି ଭିତରୁ କ୍ଷତାକ୍ତ ଶରୀରକୁ ପୋଲିସ ଓ ପରିବାର ଲୋକେ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଦୋଷୀମାନଙ୍କୁ କଡ଼ାରୁ କଡ଼ା ସଜା ଦେବାକୁ ପରିବାର ଲୋକେ ଦାବି କରିଛନ୍ତି । ପୋଲିସ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ଏହି ମାମଲାରେ ପୋଲିସ ପ୍ରାୟ 30 ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।