ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ଡିଜିପି ଓମ ପ୍ରକାଶଙ୍କ ହତ୍ୟା ମାମଲାରେ ପୋଲିସ ପତ୍ନୀ ପଲ୍ଲବୀଙ୍କୁ ଗିରଫ କରି ସାରିଛି । ପଚାର ଉଚୁରା ବେଳେ ପଲ୍ଲବୀ ପ୍ରକାଶଙ୍କୁ ନେଇ ଅନେକ ଚାଞ୍ଚଲ୍ୟକର ଦାବି କରିଛନ୍ତି । ତାଙ୍କ କହିବା କଥା ଓମ ପ୍ରକାଶ ଝିଅକୁ ନିଶା ପଦାର୍ଥ ଖୁଆଇବା ଆରମ୍ଭ କରି ଦେଇଥିଲେ । ଏପରିକି ମୋ ଭୋଜନରେ ଓମ ପ୍ରକାଶ ସାନିଟାଇଜର ମିଶାଇ ଦେଉଥିଲେ ବୋଲି ପଲ୍ଲବୀ କହିଛନ୍ତି । ତେବେ ପୋଲିସ ପକ୍ଷରୁ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ ।
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ପଲ୍ଲବୀ ଗିରଫ ଗିରଫ ହେବା ପରେ ଅଭିଯୋଗ କରିଛନ୍ତି ଯେ, ସ୍ୱାମୀ ଓମ ଝିଅ କୃତିକୁ ଡ୍ରଗ୍ସ ଦେଉଥିଲେ । ଏପରିକି ଝିଅର ଫୋନ ହ୍ୟାକ୍ କରିଥିଲେ । ଝିଅ ସ୍ୱର ଉଠାଇବା ଆରମ୍ଭ କରି ଦେଇଥିବାରୁ ଓମ ପ୍ରକାଶ ତାଙ୍କୁ ବଳପୂର୍ବକ ଡ୍ରଗ୍ସ ଖୁଆଉଥିଲେ । ଝିଅ ଏହିପରି ପ୍ରତିଦିନ ମରୁଥିଲା । ଝିଅ ଫୋନ, ଲ୍ୟାପଟପ୍ ସବୁ ଡିଭାଇସ ହ୍ୟାକ କରିଥିଲେ । ଏହାର ପ୍ରମାଣ ଥିବା କହିଛନ୍ତି ପଲ୍ଲବୀ । ବର୍ତ୍ତମାନ ପୋଲିସ ରିମାଣ୍ଡରେ ଥିବା ପଲ୍ଲବୀଙ୍କୁ ତଦନ୍ତକାରୀ ଅଧିକାରୀ ପଚରା ଉଚୁରା କରୁଛନ୍ତି ।
ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପଲ୍ଲବୀ କହିଛନ୍ତି ଯେ, ସଂପତ୍ତିକୁ ନେଇ ଲୋଭ ଓ ଇର୍ଷ କାରଣରୁ ପ୍ରକାଶ ତାଙ୍କ ବିରୋଧରେ କାମ କରୁଥିଲେ । ମୋତେ ମାନସିକ ରୋଗୀ ସଜାଇବାକୁ ଚେଷ୍ଟା କରୁଥିଲେ । ଏହି ସବୁ କାମ ସଂପତ୍ତି ଲୋଭରେ କରୁଥିଲେ । ମୋ ସ୍ୱାମୀ ପୁଅ ଓ ବୋହୂ ପକ୍ଷରେ ସର୍ବଦା ରହୁଥିଲେ । ତେବେ ପଲ୍ଲବୀଙ୍କ ଏସବୁ ଅଭିଯୋଗରେ କେତେ ସତ୍ୟାସତ୍ୟ ରହିଛି ପୋଲିସର ଏହାର ତଦନ୍ତ ଚଳାଇଛି ।