ପୁରୀ: ଆସନ୍ତାକାଲି (ବୁଧବାର) ବୈଶାଖ କୃଷ୍ଣ ଦଶମୀ ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ବିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ଅପରାହ୍ଣ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ସେଥିପାଇଁ ଶ୍ରୀଜୀଉଙ୍କ ଦର୍ଶନ ୫ ଘଣ୍ଟା ପାଇଁ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ମହାପ୍ରଭୁଙ୍କର ବନକଲାଗି ନୀତି ହେଉଛି ଏକ ଗୁପ୍ତନୀତି । ଏହି ସମୟରେ ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର କରାଯାଏ । ଏହି ନୀତି ସମ୍ପାଦନ ବେଳେ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିଥାଏ। କିନ୍ତୁ ଶ୍ରଦ୍ଧାଳୁମାନେ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ କରିପାରିବେ । ପରମ୍ପରା ଅନୁଯାୟୀ ଦ୍ବିପ୍ରହର ଧୂପ ଶେଷ ହେବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି ସମ୍ପନ୍ନ କରାଯାଏ। ଦତ୍ତମହାପାତ୍ର ସେବକମାନେ ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କ ଶ୍ରୀମୁଖସିଂହାର କରିଥାନ୍ତି। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯାଇଥାଏ । ଶ୍ରୀମୁଖ ଶୃଙ୍ଗାର ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଆକର୍ଷଣୀୟ ଓ ମନଲୋଭା ଦେଖାଦେଇଥାଏ ।