ନୂଆଦିଲ୍ଲୀ: ମାତ୍ର ୨ ମାର୍କ ପାଇଁ ଗତ ପ୍ରଥମ ପ୍ରୟାସରେ ଚୟନ ହେବାରୁ ବଞ୍ଚିତ ହୋଇଥିଲେ । କିନ୍ତୁ ସେ ହାରି ଯାଇ ନ ଥିଲେ କିମ୍ବା ଭାଙ୍ଗି ପଡ଼ି ନ ଥିଲେ । ପୁଣି ଥରେ ମନୋବଳକୁ ସୁଦୃଢ଼ କରିଥିଲେ । ଆଉ ନିଜର ଦୃଢ଼ ଇଚ୍ଛ ଶକ୍ତି, ନିରନ୍ତର ପ୍ରୟାସ ଏବଂ କଠିନ ପରିଶ୍ରମ ଆଜି ତାଙ୍କୁ ଶୀର୍ଷରେ ବସାଇଛି । ସେ ହେଉଛନ୍ତି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାରୀ କରିଥିବା ଶକ୍ତି ଦୁବେ । ଆସନ୍ତୁ ଶକ୍ତିଙ୍କ ସଫଳତାର ବିଷୟରେ କିଛିଟା ଅଧିକ ଜାଣିବା ।
ଉତ୍ତର ପ୍ରଦେଶ ବାଲିୟା ଜିଲ୍ଲା ବୈରିୟା ତହସିଲ, ଦୋକଟୀ ଥାନା ଅନ୍ତର୍ଗତ ରାମପୁର ଗାଁର ମୂଳ ବାସିନ୍ଦା ଅଟନ୍ତି ଶକ୍ତି ଦୁବେ । ବାପା ଦେବେନ୍ଦ୍ର ଦ୍ୱିବେଦୀ ପ୍ରୟାଗରାଜରେ ଟ୍ରାଫିକ୍ ଡିପିଏସ ଏବଂ ଏଡିସିପି ଭାବେ କାର୍ୟ୍ୟ କରନ୍ତି । ଶକ୍ତି ଏବଂ ପ୍ରଗତି ଦୁଇ ଯାଆଁଳା ଭଉଣୀ । ତାଙ୍କର ଗୋଟିଏ ସାନ ଭାଇ ଆଶୁତୋଷ ଅଛି । ଶକ୍ତି ପିଲା ଦିନରୁ ହିଁ ଜଣେ ମେଧାବୀ ଛାତ୍ରୀ ଥିଲେ । ପାଠ ପଢ଼ାରେ ସେ ବେଶ୍ ଉଜ୍ଜ୍ୱଳ ଥିଲେ ।
ପ୍ରୟାଗରାଜର ଶକ୍ତି ଦୁବେ ୟୁନିଅନ ପବ୍ଲିକ୍ ସର୍ଭିସେସ୍ ପରୀକ୍ଷା ୨୦୨୪ ରେଜଲ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ତୃତୀୟ ପ୍ରୟାସରେ ସେ ଏହି ସଫଳତା ପାଇଛନ୍ତି । ଶକ୍ତି ଦୁବେ ପିଲାଦିନରୁ ପାଠପଢ଼ାରେ ଉଜ୍ଜ୍ୱଳ । ଏସଏମସି ଘୁରପୁରରେ ଦ୍ୱାଦଶ ପର୍ୟ୍ୟନ୍ତ ପାଠପଢ଼ି ଥିଲେ । ଏହା ପରେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ବିଏସସି କରିଥିଲେ । ସେ ଏଥିରେ ସ୍ୱର୍ଣ୍ଣ ପଦକ ବିଜେତା ଥିଲେ । ସେହିପରି ୨୦୧୮ରେ ସେ ବିଏଚୟୁରୁ ଜୈବ ରସାୟନ ବିଜ୍ଞାନରେ ଏମଏସସି କରିଥିଲେ । ମାଷ୍ଟର୍ସରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏମଏସସି ପରେ ସେ ପ୍ରୟାଗରାଜ ଆସିଥିଲେ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।
ପ୍ରଶାସନିକ ସେବା ପରୀକ୍ଷା ପାଇଁ ଦିଲ୍ଲୀ ଯାଇ ମଧ୍ୟ ପ୍ରସ୍ତୁତି କରିଥିଲେ । ୨୦୨୦ରେ କରୋନା କାଳରେ ପୁଣି ଥରେ ପ୍ରୟାଗରାଜ ଫେରି ଆସିଥିଲେ । ଘରେ ରହି ପ୍ରସ୍ତୁତି ଜାରି ରଖିଥିଲେ । ୨୦୨୩ ସେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଥିଲେ କିନ୍ତୁ ଭାଗ୍ୟ ତାଙ୍କର ସାଥ୍ ଦେଇ ନ ଥିଲା । ମାତ୍ର ଦୁଇ ମାର୍କ ପାଇଁ ସେ ଆଇଏଏସ୍ ପାଇବାରୁ ବଞ୍ଚିତ ହୋଇଥିଲେ । ଏହା ଦ୍ୱାରା ସେ ଟିକେ ନିରାଶ ହୋଇଥିଲେ, କିନ୍ତୁ ସାହସ ହରାଇ ନଥିଲେ । ଆହୁରି ଅଧିକରୁ ଅଧିକ କଠିନ ପରିଶ୍ରମ କରି ଚଳିତ ଥର ସେ ଶୀର୍ଷ ସ୍ଥାନ ଅକ୍ତିଆର କରିଛନ୍ତି ।
ଶକ୍ତିଙ୍କ ଏହି ସଫଳତା ପାଇଁ ତାଙ୍କ ପରିବାର ବେଶ ଖୁସି ଅଛନ୍ତି । ପରିଶ୍ରମର ଫଳ ମିଳିଲା ବୋଲି ତାଙ୍କ ବାପା ଏବଂ ମାଆ କହିଛନ୍ତି ।