ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁପ୍ରିମକୋର୍ଟକୁ ନେଇ ବିବାଦୀୟ ବୟାନ ଦେଇଥିଲେ । ଏହାକୁ ନେଇ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଆଉ ପୁଣି ଥରେ ଏହା ଉପରେ ସେ ଖୋଲାଖୋଲି ନିଜର ମତ ରଖି ପରୋକ୍ଷରେ ସୁପ୍ରିମକୋର୍ଟକୁ ଟାର୍ଗେଟ୍ କରିଛନ୍ତି । ସେ ମଙ୍ଗଳବାର କହିଛନ୍ତି, ସଂସଦରେ ଗଣତନ୍ତ୍ର ସୁପ୍ରିମ । ତା ଉପରେ ଆଉ କେହି ଅଥରିଟି ନାହାନ୍ତି । ସମ୍ବିଧାନ କେମିତି ହେବ ଏବଂ ସେଥିରେ କଣ ସଂଶୋଧନ ହେବ, ଏହା ସ୍ଥିର କରିବାର ପୂରା ଅଧିକାର ସାଂସଦଙ୍କର । ତାଙ୍କ ଉପରେ ଆଉ କେହି ନୁହନ୍ତି।
ସୁପ୍ରିମକୋର୍ଟକୁ ନେଇ ପୂର୍ବରୁ ଦେଇଥିବା ଟିପ୍ପଣୀକୁ ନେଇ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଗୋଟିଏ ବର୍ଗ ଟାର୍ଗେଟ୍ କରିଥିଲେ । ଏହା ପରେ ପୁଣି ଥରେ ଧନଖଡ ଏହି ଉପରୋକ୍ତ ବୟାନ ଦେଇଛନ୍ତି । ତାମିଲନାଡୁ ବିଧାନସଭାରେ ପାରିତ ଅନେକ ବିଧେୟକ ରାଜ୍ୟପାଳଙ୍କ ନିକଟରେ ପଡି ରହିବା ମାମଲାରେ ସୁପ୍ରିମକାର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ରାଜ୍ୟପାଳ ଏମିତି ମନମୁଖୀ କାମ କରି ପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ । ଏହା ଉପରେ ଟିପ୍ପଣୀ କରିଥିଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ।
ସେ କହିଥିଲେ ଯେ, ଏମିତି ସମୟ ଦେଖିବାକୁ ପଡୁଛି ଯେ, ସୁପ୍ରିମକୋର୍ଟ ଏବେ ରାଷ୍ଟ୍ରପତିଙ୍କୁ ଆଦେଶ ଦେଉଛନ୍ତି । ଏବେ ରାଷ୍ଟ୍ରପତିଙ୍କୁ ନିର୍ଦ୍ଧାରିତ ସୀମାରେ କାମ କରିବାକୁ ସୁପ୍ରିମକୋର୍ଟ କହୁଛନ୍ତି । ଅଦାଲତ କହୁଛନ୍ତି ଯେ, ଯଦି ରାଷ୍ଟ୍ରପତି ନିଷ୍ପତ୍ତି ନ ନିଅନ୍ତି ତେବେ ବିଧେୟକକୁ ଗୃହୀତ ବୋଲି ଧରି ନିଆଯିବ । ସ୍ଥିତି ଏମିତି ଯେ, ସଂସଦକୁ ଏବେ ଅଦାଲତ ପରିଚାଳନା କରିବାକୁ ଚାହୁଁଛି ।
ସୁପ୍ରିମକୋର୍ଟ ତାମିଲନାଡୁ କେସରେ ନିଷ୍ପତ୍ତି ଦେଇ ସମ୍ବିଧାନର ଧାରା ୧୪୨ ଶକ୍ତିର ପ୍ରୟୋଗ କରିଥିଲେ । ଖଣ୍ଡପୀଠ କହିଥିଲେ, ୧୪୨ ଆଧାରରେ ତାଙ୍କ ପାଖରେ ଶକ୍ତି ରହିଛି ଏବଂ ଜନସ୍ୱାର୍ଥ ମାମଲାରେ ଯେ କୌଣସି ନିଷ୍ପତ୍ତି ନେଇ ପାରିବେ । ଏହା ଉପରେ ଉପରାଷ୍ଟ୍ରପତି କହିଥିଲେ ଯେ, ଅନୁଚ୍ଛେଦ ୧୪୨ ରୂପେ ସୁପ୍ରିମକୋର୍ଟକୁ ପରମାଣୁ ବୋମା ମିଳି ଯାଇଛି ।