ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇ ଫସିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମୁସ୍କିଲ ବଢିବାରେ ଲାଗିଛି । ସୁପ୍ରିମକୋର୍ଟ ମାମଲାରେ ପଦକ୍ଷେପ ନେଇ ଆସନ୍ତା ସପ୍ତାହରେ ଏହା ଉପରେ ଶୁଣାଣି କରିବାକୁ ଲିଷ୍ଟିଂ କରିଛନ୍ତି । ଦୁବେଙ୍କ ବିରୋଧରେ ଅବମାନନା କେସ ଚଲାଇବା ପାଇଁ ଆଟର୍ଣ୍ଣିଂ ଜେନେରାଲଙ୍କ ସହମତି ଲୋଡା ଯାଇଛି । ଆଇନଜୀବୀ ମଙ୍ଗଳବାର କହିଛନ୍ତି ଯେ, ସରକାର ନିଶିକାନ୍ତ ଦୁବେଙ୍କ ବୟାନକୁ ନେଇ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି । ଆଟର୍ଣ୍ଣିଂ ଜେନେରାଲ ଓ ସଲିସିଟର ଜେନେରାଲଙ୍କୁ ଚିଠି ଲେଖା ଯାଇଛି । ଆଇନଜୀବୀଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ବିଆର ଗବାଇ ଓ ବିଚାରପତି ଏଜି ମସିହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ପାଇଁ ଆସନ୍ତା ସପ୍ତାହରେ ଲିଷ୍ଟିଂ କରିଛନ୍ତି ।
ଲାଇଭ ଲର ରିପୋର୍ଟ ଅନୁସାରେ, ଆଇନଜୀବୀ ସୁପ୍ରିମକୋର୍ଟକୁ ଜଣାଇଛନ୍ତି ଯେ, ସାଂସଦ କହିଛନ୍ତି ଦେଶରେ ଗୃହଯୁଦ୍ଧ ପାଇଁ ପ୍ରଧାନ ବିଚାରପତି ଦାୟୀ । କୌଣସି ସାଂସଦ ଏମିତି ବୟାନ କେବେ ଦେଇ ନାହାନ୍ତି । ଏହା ଉପରେ ଜଷ୍ଟିସ ଗବଇ କହିଛନ୍ତି, ଆପଣ ଯେଉଁ ଫାଇଲ କରିବାକୁ ଚାହାନ୍ତି ତାହା କରନ୍ତୁ । ଆଇନଜୀବୀ କହିଛନ୍ତି, ନିଶିକାନ୍ତ ଦୁବେଙ୍କ ଭାଷଣ ଭାଇରାଲ୍ ହେବା ପରେ ସୁପ୍ରିମକୋର୍ଟ ପାଇଁ ଅନେକ ବିବାଦୀୟ ଶବ୍ଦର ପ୍ରୟୋଗ କରାଯାଉଛି । ଭିଡିଓ ସାରା ଦେଶରେ ଭାଇରାଲ୍ ହେଉଛି । ଏହା ଉପରେ ଜଜ ମାମଲାର ଶୁଣାଣି ପାଇଁ ଲିଷ୍ଟିଂ କରିଛନ୍ତି ।
ଏହା ପୂର୍ବରୁ ସୋମବାର ସିଜେଆଇଙ୍କ ବିରୋଧରେ ନିଶିକାନ୍ତ ଦୁବେଙ୍କ ବୟାନକୁ ଗମ୍ଭୀରତାର ସହ ନେଇଛି । ସୁପ୍ରିମକୋର୍ଟଙ୍କ ପ୍ରତିଷ୍ଠା କାଏମ ରଖିବା ଦିଗରେ ପଦକ୍ଷେପ ନେବାକୁ ଆଇନଜୀବୀ ଦାବି କରିଛନ୍ତି । ସୂଚନାଯୋଗ୍ୟ, ତାମିଲନାଡୁ ମାମଲାକୁ ନେଇ ବିଜେପି ସାଂସଦ ନିଶିକାନ୍ତୁ ଦୁବେ ସୁପ୍ରିମକୋର୍ଟ ଓ ପ୍ରଧାନ ବିଚାରପତିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ସେ କହିଥିଲେ ଯଦି ସୁପ୍ରିମକୋର୍ଟ ଆଇନ ତିଆରି କରିବ ତେବେ ସଂସଦ କାହିଁକି ରହିବ । ଆଉ ଦେଶରେ ଗୃହଯୁଦ୍ଧ ପାଇଁ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଦାୟୀ ।