ପୁରୀ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ରତନପୁର ଗାଁର ନାବାଳକ ଅପହରଣ ଓ ହତ୍ୟା ମାମଲାର ପ୍ରକୃତ କାରଣ ସାମ୍ନାକୁ ଆସିଛି । ଯୌନ ଲାଳସା ହିଁ ପ୍ରକୃତ କାରଣ ଥିବା ବୋଲି ପୁରୀ ଏସପି ବିନୀତ ଅଗ୍ରୱାଲ ଏ ନେଇ ସାମ୍ବାଦିକ ସମ୍ମିଳନୀରେ ବଡ଼ ସୂଚନା ଦେଇଛନ୍ତି । ଏହି ମାମଲାକୁ ଫାଷ୍ଟ ଟ୍ରାକ୍ କୋର୍ଟରେ ଶୁଣାଣି ପାଇଁ ଆବେଦନ କରାଯିବ ବୋଲି କହିଛନ୍ତି ଏସପି ।
ପ୍ରଥମେ କୋଲ୍ଡ ଡ୍ରିଙ୍କସ୍ ଓ ବଲ୍ ଦେବ କହି ଫସାଇଥିଲା...
ଏପ୍ରିଲ ୧୫ ତାରିଖ ସନ୍ଧ୍ୟାରେ ରତନପୁର ଗାଁର ୧୧ ବର୍ଷିୟ ନାବାଳକକୁ ସମ୍ପର୍କୀୟ ଦାଦା ପ୍ରଭାକର ସାହୁ ଓରଫ୍ ବାପି ପାଖକୁ ଡାକି ଏକ ବାଡ଼ି ପଛ ପଟ ପରିତ୍ୟକ୍ତ ଘରକୁ ନେଇଥିଲା । ପ୍ରଥମେ ପ୍ରଭାକର ପିଲାକୁ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ଦେଇଥିଲା । ପିଲାଟି ଦାଦାର ହୀନ ମାନସିକତାକୁ ବୁଝି ପାରି ନ ଥିଲା । ଆଉ ଦାଦା ସହିତ ମିଶି କୋଲ୍ଡ ଡ୍ରିଙ୍କ୍ସ ପିଇଥିଲା । ଏହା ପରେ ତାଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇଥିଲା ପ୍ରଭାକର । ଏହା ପରେ ପୁଣି ୧୦୦ ଟଙ୍କାରେ ୪ଟି କ୍ରିକେଟ୍ ବଲ୍ କିଣି ଦେବ ବୋଲି କହିଥିଲା । ନିଷ୍ପାପ ଶିଶୁଟି ଦାଦା କଥାରେ ଅତି ସହଜରେ ଫସି ଯାଇଥିଲା । ଏହା ପରେ ପ୍ରଭାକର ନିଜର ଯୌନ ସୁଖ ଉପଭୋଗ କରିଥିଲା । ପିଲାଟି କିଛି ବୁଝି ନ ପାରି ଯେତେବେଳେ ପଇସା ମାଗିଥିଲା, ସେତେବେଳେ ସେ ଆଉ ପଇସା ଦେଇ ନ ଥିଲା । ଏହା ପରେ ସେ ସମସ୍ତଙ୍କୁ ସବୁ କଥା କହିଦେବ କହି କାନ୍ଦିବା ଆରମ୍ଭ କରିଥିଲା ।
ଅଚେତ ଅବସ୍ଥାରେ ପାଇଖାନା ଟାଙ୍କିରେ ଫୋପାଡ଼ି ଦେଲା...
ସେପଟେ ନାବାଳକକୁ ତାର ଘର ଲୋକ ଖୋଜି ଥିଲେ । ଘର ଲୋକଙ୍କ ଡାକ ଶୁଣି ପ୍ରଭାକର ଭୟଭୀତ ହୋଇଯାଇଥିଲା । ପିଲାଟିକୁ ତାର ଡ୍ରେସ୍ କପଡ଼ାରେ ମୁହଁକୁ ଘୋଡ଼ାଇ ହତ୍ୟା କରିବାକୁ ଚେଷ୍ଟା କରିଥିଲା ଏବଂ ତର ଯୌନାଙ୍ଗକୁ କାଟି ଦେଇଥିଲା । ପିଲାଟିକୁ ଚେତା ଶୂନ୍ୟ ହୋଇଯିବା ପରେ ପାଇଖାନା ଟାଙ୍କିରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲା । ଅନ୍ୟ ସ୍ଥାନରେ ସେ ନାବାଳକର ପୋଷାକକୁ ଫିଙ୍ଗି ଦେଇଥିଲା ବୋଲି କହିଛନ୍ତି ଏସପି ।
ପୋଲିସ ପ୍ରଥମେ ଏହି ମାମଲାରେ ପ୍ରଭାକରକୁ ଅଟକ ରଖିଥିଲା । କିନ୍ତୁ ତାର ବିରୁଦ୍ଧରେ କୌଣସି ଠୋସ୍ ପ୍ରମାଣ ମିଳି ନ ଥିଲା । ସେଥିପାଇଁ ପଚରାଉଚରା ପରେ ଛାଡ଼ି ଦେଇଥିଲା ପୋଲିସ । କିନ୍ତୁ ତାକୁ ବରାବର ଟ୍ରାକ୍ କରିଥିଲା ପୋଲିସ । ଶେଷରେ ପୋଲିସ ତାକୁ ଅଟକ ରଖିବା ପରେ ସେ ସମସ୍ତ ଦୋଷ ସ୍ୱୀକାର କରିଥିଲା । ପ୍ରଭାକର କହିବା ମୁତାବକ ପୋଲିସ ପାଇଖାନା ଟାଙ୍କିରୁ ନାବାଳକର ମୃତ ଦେହ ଉଦ୍ଧାର କରିଥିଲା ।
ତେବେ ପାଇଖାନା ଟାଙ୍କିରେ ପୋଫାଡ଼ିବା ପରେ ମୃତ୍ୟୁ ହୋଇଛି କିମ୍ବା ପୂର୍ବରୁ ମୃତ୍ୟୁ ହୋଇଛି ସେ ନେଇ ସ୍ପଷ୍ଟ ହୋଇ ନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ତଥ୍ୟ ଆସିବ ବୋଲି ଏସପି କହିଛନ୍ତି । ଏହି ମାମଲାକୁ ପୋକ୍ସୋ କୋର୍ଟକୁ ସ୍ଥାନାନ୍ତର କରାଯିବ । ଫ୍ରାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି କରି ନାବାଳକ ପରିବାରକୁ ତ୍ୱରିତ ନ୍ୟାୟ ଦେବାକୁ ଚେଷ୍ଟା କରାଯିବ ବୋଲି ଏସପି ପ୍ରତିଶ୍ରୁତି ଦେଇଛନ୍ତି ।
ଅନ୍ୟପକ୍ଷରେ ଅଭିଯୁକ୍ତ ପ୍ରଭାକର ବିବାହିତ ଅଟେ । ସେ ଅଧିକାଂଶ ସମୟରେ ଖୋର୍ଦ୍ଧା ଟାଙ୍ଗୀ ଥାନା ଅଞ୍ଚଳରେ ଥିବା ତାର ଶ୍ୱଶୁର ଘରେ ରୁହେ । ତାର ଦୁଇଟି ଝିଅ ମଧ୍ୟ ଅଛନ୍ତି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୧୫ ତାରିଖ ସନ୍ଧ୍ୟାରୁ ନିଖୋଜ ହୋଇଯାଇଥିଲା ନାବାଳକ । ଘର ବାରଣ୍ଡାରେ ଖେଳୁଥିବା ସମୟରେ ସେ କେଉଁ ଆଡ଼େ ନିଖୋଜ ହୋଇଯାଇଥିଲା । ଏ ନେଇ ପରିବାର ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ୨୦ ତାରିଖ, ରବିବାର ବିଳମ୍ବିତ ରାତିରେ ତାର ଗଳିତ ମୃତ ଦେହ ଏକ ପରିତ୍ୟକ୍ତ ପାଇଖାନା ଟାଙ୍କିରୁ ଉଦ୍ଧାର କରାଯାଇଥିଲା ।