ଗ୍ରାହକଙ୍କୁ ବଡ଼ ଝଟକା। ସୁନା ଦର ଏବେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ବର୍ତ୍ତମାନ ସୁନା ଦର ଲକ୍ଷେ ଟପିଛି। ଦିନକରେ ୩ ହଜାର ଟଙ୍କା ବୃଦ୍ଧି ହୋଇ ଏବେ ୧୦ ଗ୍ରାମ ପିଛା ଲକ୍ଷେ ଟଙ୍କା ଅତିକ୍ରମ କରିଛି। ୧୦ ଗ୍ରାମ ସୁନା ମୂଲ୍ୟ ୯୯ ହଜାର ୮୦୦ ଟଙ୍କା ଛୁଇଁଛି । ଜିଏସଟି ମିଶିଲା ପରେ ଦର ଲକ୍ଷେ ପାର କରିଛି ।
ବର୍ତ୍ତମାନ ୨୪ କ୍ୟାରେଟ ସୁନା ୧ ଲକ୍ଷ ୧ ହଜାର ୩୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ ଦର ୯୨ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ଚୀନ-ଆମେରିକା ବାଣିଜ୍ୟ ଯୁଦ୍ଧ, ବିଶ୍ବର ଅର୍ଥନୈତିକ ଅସ୍ଥିରତା ଯୋଗୁ ସୁନା, ରୁପା ଦର ଆକାଶଛୁଆଁ ହୋଇଛି । ବିଶ୍ୱ ବଜାରରେ ଅନିଶ୍ଚିତତା ଯୋଗୁ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ସମେତ ସମସ୍ତ ପ୍ରମୁଖ ସହରରେ ୨୪ କ୍ୟାରେଟ ସୁନା ମୂଲ୍ୟ ଗ୍ରାମକୁ ୧୦,୦୦୦ ଟଙ୍କାରୁ ଅଧିକ ହୋଇଛି। ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ ସୁନା ଦର ୯୮ ହଜାର ୩୫୦ ଟଙ୍କା ଛୁଇଁଛି।
ଅର୍ଥନୈତିକ ଅସ୍ଥିରତା ଯୋଗୁ ନିବେଶକମାନେ ସୁନା ଓ ରୁପା ଉପରେ ନିବେଶ କରୁଛନ୍ତି । କାରଣ ଏହାକୁ ସୁରକ୍ଷିତ ମଣୁଛନ୍ତି ନିବେଶକ । ତେବେ ଦୀର୍ଘ ଦିନ ଧରି ଧନର ପ୍ରତୀକ ହୋଇଆସିଥିବା ସୁନା ଭାରତରେ ସାଂସ୍କୃତିକ ଗୁରୁତ୍ୱ ବହନ କରେ। ସୁନା ବିନା ଭାରତୀୟ ଉତ୍ସବ ଅସମ୍ପୂର୍ଣ୍ଣ। ହେଲେ ହଠାତ ଏଭଳି ଭାବେ ଦର ବୃଦ୍ଧି ଯୋଗୁ ନିବେଶକମାନଙ୍କ ସହ ସାଧାରଣ ଜନତାଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି।