କେନ୍ଦୁଝର: କେନ୍ଦୁଝର ସହର ସ୍ଥିତ ଗାୟତ୍ରୀ ରେସିଡେନ୍ସିଆଲ ନାମକ ଏକ ଘରୋଇ କଲେଜ ହଷ୍ଟେଲରେ ଜଣେ ଛାତ୍ର ତାଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ପାଟଣା ଥାନା ଟାଙ୍ଗରପଡା ଗ୍ରାମର ଜଗବନ୍ଧୁ ମହାନ୍ତଙ୍କ ପୁଅ ଜଳଧର ମହାନ୍ତ । ସେ ସମରକୋର୍ସ ପାଇଁ ସେଠାରେ ରହୁଥିଲେ ବୋଲି ଜଣାପଡ଼ିଛି ।
ଜଗବନ୍ଧୁ ମହାନ୍ତଙ୍କ ପୁଅ ଜଳଧର ମହାନ୍ତ ସମରକୋର୍ସ ପାଇଁ ଗାୟତ୍ରୀ ରେସିଡେନ୍ସିଆଲ କଲେଜରେ ପାଠ ପଢ଼ୁଥିଲେ । ସଞ୍ଜବେଳେ ପୁଅ ବାପାଙ୍କ ପାଖକୁ କଲ୍ କରିଥିଲା ଆଉ କହିଥିଲା, ମୋତେ ଘର କଥା ବହୁତ ମନେ ପଡୁଛି । ମୁଁ ଆସନ୍ତା ୮ ତାରିଖରେ ଘରକୁ ପଳେଇବି । କିନ୍ତୁ ବାପା ମାଆ ପୁଅକୁ ବୁଝାଇଥିଲେ ପୁଅରେ ବ୍ୟସ୍ତ ହଅନି, ୧୦ ତାରିଖରେ ଛୁଟି ହୋଇଯିବ ମୁଁ ତତେ ଘରକୁ ନେଇ ଆସିବି ... ଏହା ପରେ ଘରକୁ ଆସିଥିଲା କଲେଜରୁ ଫୋନ୍ । ଯାହାକୁ ଶୁଣିବା ପରେ ବାପା ମାଆଙ୍କ ପାଦ ତଳୁ ମାଟି ଖସି ଯାଇଛି । ପୁଅ ଘରକୁ ଆସିବା ପୂର୍ବରୁ ଆସିଥିଲା ତାର ମୃତ୍ୟୁ ଖବର । କିଏ ଜାଣିଥିଲା ତାହା ତାଙ୍କ ପୁଅର ସେହି କଲ୍ ଆଉ ସେହି କଥା ଶେଷ କଥା ଥିଲା ବୋଲି ...।
ସବୁ ଦିନ ପରି ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଜଳଧର ସାଙ୍ଗମାନଙ୍କ ସହ ଖାଇ ଶୋଇବାକୁ ଯାଇଥିଲେ । ହେଲେ ରାତି ପ୍ରାୟ ୧ଟା ବେଳେ ସାଙ୍ଗମାନେ ତାକୁ ଡାକିବାରୁ ସେ ଆଉ ଉଠିନଥିଲେ । ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଘରକୁ କଲେଜରୁ କଲ୍ ଆସିଥିଲା । ପୁଅ ଗୁରୁତର ଅଛି ବୋଲି ବାପାଙ୍କୁ କୁହାଯାଇଥିଲା । କିନ୍ତୁ ମେଡ଼ିକାଲରେ ଆସି ଶୁଣି ଥିଲେ ପୁଅର ମୃତ୍ୟୁ ହୋଇଯାଇଛି । ପୁଅର ମୃତ୍ୟୁକୁ ସହଜରେ ପରିବାର ଲୋକେ ଗ୍ରହଣ କରି ପାରି ନାହାଁନ୍ତି । ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି ।