ଭୁବନେଶ୍ବର: ବିମାନ ସେବା କ୍ଷେତ୍ରରେ ଭୁବନେଶ୍ୱର ସହ ପୁଣି ଆଉ ଏକ ନୂଆ ସହର ଯୋଡ଼ି ହେବ । ଆସନ୍ତା ଅପ୍ରେଲ୍ ୧ ତାରିଖ ଠାରୁ ଉତ୍କଳ ଦିବସ ଅବସରରେ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବାକୁ ଯାଉଛି। ଭୁବନେଶ୍ବରରୁ ଗୋଆକୁ ବିମାନ ସଂଯୋଗୀକରଣ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ଯବାଦ ଦେବା ସହ ପ୍ରଶଂସା କରିଛନ୍ତି।
ରାଜ୍ୟ ସରକାରଙ୍କ ନ୍ୟୁ ଡେଷ୍ଟିନେସନ୍ ପଲିସି ଅନୁଯାୟୀ ଭୁବନେଶ୍ବରରୁ ଗୋଆକୁ ବିମାନ ସେବା ଚଳାଚଳ କରିବ। ଆସନ୍ତା ଅପ୍ରେଲ୍ ୧ ତାରିଖ ଠାରୁ ଭୁବନେଶ୍ବରରୁ ଗୋଆକୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ଦିନ ବିମାନ ଚଳାଚଳ କରିବ। ଘରୋଇ ବିମାନ କଂପାନୀ ‘ଇଣ୍ଡିଗୋ’ରେ ଭୁବନେଶ୍ବରରୁ ଯାତ୍ରୀମାନେ ଗୋଆ ଯାଇପାରିବେ। ପୁଣି ଯାତ୍ରୀମାନେ ଚାହିଁଲେ ଗୋଆରୁ ଇଣ୍ଡିଗୋ ବିମାନରେ ଭୁବନେଶ୍ବର ଫେରିପାରିବେ।
କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟ ସରକାର ବିକଶିତ ଓଡ଼ିଶାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବିମାନ ଚଳାଇବା ପାଇଁ ପଦକ୍ଷେପ ନେଇଛନ୍ତି। ବିଗତ କିଛି ମାସ ମଧ୍ୟରେ ଦେଶର ଅନେକ ସହରକୁ ଭୁବନେଶ୍ବରରୁ ବିମାନ ଚଳାଚଳ ହୋଇପାରିଛି। ଏହି କ୍ରମରେ ଗୋଆକୁ ବିମାନ ଚଳାଚଳ କରିବା ଦ୍ବାରା ଉଭୟ ଓଡ଼ିଶା ଓ ଗୋଆର ପର୍ଯ୍ୟଟନ ଓ ବ୍ୟବସାୟ ଶିଳ୍ପ ବିକାଶରେ ସହାୟକ ହେବ।