ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଗୁରାଣ୍ଡି ଥାନା ଅନ୍ତର୍ଗତ ବାଟସିରିପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବିବାହର ଏକ ମାସ ପରେ ଯୁବକକୁ ତଣ୍ଟି କାଟି ହତ୍ୟା କରିଛି ଦୃର୍ବୁତ୍ତ । ଏପରି ଏକ ହୃଦୟବିଦାରକ ଘଟଣା ପରେ ପରିବାରରେ ଦୁଃଖର ପାହାଡ଼ ଲଦି ହୋଇପଡିଛି । ଏହି ଘଟଣାରେ ପରିବାର ସହିତ ସ୍ଥାନୀୟ ଅଂଚଳ କାନ୍ଦ ବୋବାଳିରେ ଫାଟି ପଡୁଛି । ବିଳମ୍ବିତ ରାତିରେ ବାଟସିରିପୁର ଗାଁର ଜଣେ ନବ ବିବାହିତ ଯୁବକଙ୍କ ତଣ୍ଟି କାଟି ହତ୍ୟା କରିଛି ଦୃର୍ବୁତ୍ତ । ମୃତ ଯୁବକଙ୍କ ନାମ ଲିଙ୍ଗରାଜ ବେହେରା ,ବୟସ ୨୮ ବୋଲି ସୂଚନା ମିଳିଛି । ମୃତ ଯୁବକ ଗତ ଫେବୃଆରୀ ୧୮ ତାରିଖରେ ବିବାହ କରିଥିଲେ । ବିବାହର ଏକ ମାସ ପରେ ଯୁବକଙ୍କୁ କେହି ଜଣେ ତଣ୍ଟି କାଟି ହତ୍ୟା କରି ରାସ୍ତା କଡରେ ଫିଙ୍ଗି ଦେଇଯାଇଛନ୍ତି ।
ସୂଚନା ଅନୁସାରେ, ମୃତ ଯୁବକ ଜଣଙ୍କ ପାରଳାଖେମୁଣ୍ଡି କ୍ଷୁଦ୍ର ଜଳସେଚନ ବିଭାଗ ରେ କାର୍ଯ୍ୟରତ ଥିଲେ । ଗୁରୁବାର ଗାଁ ର ଗୋଟିଏ ବିବାହ ପାଇଁ ଲିଙ୍ଗରାଜ ଘରୁ ଆସିଥିଲେ ମାତ୍ର ରାତିରେ ଘରକୁ ଫେରିବାକୁ ବିଳମ୍ବ ହେବାରୁ ଘର ଲୋକ ଖୋଜାଖୋଜି କରିଥିଲେ । କିନ୍ତୁ ସେ ବାହାଘର କାମରେ କେଉଁଠିକି ଯାଇଥିବେ ବୋଲି ଭାବି ଘର ଲୋକ ଆଉ ଖୋଜାଖୋଜି କରିନଥିଲେ । କିନ୍ତୁ ଶୁକ୍ରବାର ସକାଳୁ ସକାଳୁ ଲିଙ୍ଗରାଜଙ୍କ ତଣ୍ଟି କାଟି ରାସ୍ତା କଡରେ ତାଙ୍କ ମୃତ ଶରୀର ଫୋପାଡ଼ିଥିବା ଖବର ଗାଁ ଲୋକେ ପାଇଥିଲେ । ଏହି ଖବର ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ତେବେ କେଉଁ କାରଣରୁ ଲିଙ୍ଗରାଜଙ୍କ ହତ୍ୟା କରାଯାଇଛି ବର୍ତମାନ ତାହା ଅସ୍ପଷ୍ଟ ରହିଛି । ଖବର ପାଇ, ଗୁରାଣ୍ଡି ପୋଲିସ ଓ ଏସଡିପିଓ ମାଧବ ନନ୍ଦ ନାୟକ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଵା ସହିତ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି ।