ପୁରୀ : ଶ୍ରୀମନ୍ଦିର ଉତ୍ତରଦ୍ୱାର ବାହାରେ ଖୋଲାଯିବ ଅନ୍ନକ୍ଷେତ୍ର । ମନ୍ଦିରକୁ ଆସୁଥିବା ଭକ୍ତମାନେ ଆନନ୍ଦବଜାରରୁ ମହାପ୍ରସାଦ ଆଣି ଉତ୍ତର ଦ୍ୱାର ବାହାରେ ହେବାକୁ ଥିବା ଅନ୍ନକ୍ଷେତ୍ରରେ ମହାପ୍ରସାଦ ସେବନ କରିପାରିବେ । ଗୁରୁବାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଶ୍ରୀଗୁଣ୍ଡିଚା ମନ୍ଦିର ବୁଲିବା ପରେ ଏନେଇ ସୂଚନା ଦେଇଛନ୍ତି ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ।
ଏଥିସହ ଶ୍ରୀମନ୍ଦିର କାର୍ୟ୍ୟାଳୟକୁ ସ୍ଥାନାନ୍ତରଣ ,ଶ୍ରୀଜଗନ୍ନାଥ ସାଂସ୍କୃତିକ ଲାଇବ୍ରେରୀ ଓ ରଘୁନନ୍ଦନ ଲାଇବ୍ରେରୀ ଉନ୍ନତିକରଣ କରାଯିବ ବୋଲି ଗଜପତି ମହାରାଜା କହିଛନ୍ତି।
ଆଜି ସକାଳୁ ସକାଳୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରଥମେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲିଥିଲେ । ଶ୍ରୀମନ୍ଦିର ନିକଟରେ ଥିବା ଅଧାପନ୍ତରିଆ ପ୍ରକଳ୍ପ, ମଠ ପୁନରୁଦ୍ଧାର, ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଗଜପତି ମହାରାଜା ବୁଲି ଦେଖିଛନ୍ତି ।
ଏହି ଅନୁଧ୍ଯାନ ସମୟରେ ଗଜପତିଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ , ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଏସପି, ଓବିସିସି ଅଧିକାରୀ ଓ ମଠ ମହନ୍ତ ମଧ୍ୟ ଉପସ୍ଥିତ ଥିଲେ ।